କେମିତି ଦେଖିବି ତୋତେ
କେମିତି ଦେଖିବି ତୋତେ
ନିତି ଚିନ୍ତା କୁଳେ ପଡେ ମୁଁ ଆକୁଳେ
ଆଲୋ ମା ଗଉରୀ ସତୀ
କେମିତି ତୋତେ ମୁଁ ଦେଖିବି ମା ଲୋ
ଲଗାଇଦେ ସ୍ନେହ ପ୍ରୀତି ।
ସାରା ରଜନୀରେ ନିଦ୍ରା ନାହିଁ ଥରେ
ଚମକି ଉଠେ ମୋ ମନ
ଶଂସୟ ପ୍ରବାହ ଭସାଇ ନିଏ ଲୋ
ଟାଣି ନେ ଟିକିଏ ଧ୍ୟାନ ।
ଯେହ୍ନେ ଦୀନବନ୍ଧୁ ବାନ୍ଧି ଆଶା ସିନ୍ଧୁ
ଚାହିଁ ଥାନ୍ତି ଉଷା ପଥ
ସେହି ରୂପେ ମାତ ତୋତେ ଜପି ଜପି
ଚଳେ ମୋ ଜୀବନ ରଥ ।
କୁଳବଧୂ ମୁହିଁ ଯାଇ ନପାରଇ
ତୋ ପାଦ କମଳ ତଟେ
ତୋ ଦର୍ଶନ ବିନା ଦିନ ସରେ ନାହିଁ
ଅନ୍ତର ଗହ୍ୱର ଫାଟେ ।
ବିଶ୍ଵ ମୋହିନୀ ଲୋ କରୁଣା କରିଦେ
ଢାଳି ସମ୍ମୁଜ୍ଜଳ ଜ୍ୟୋତି
ତୋ କୃପାଳୁ ବାହୁ ଲଲାଟେ ବାଜିଲେ
ଦୁଃଖ ପରା ହୁଏ ଇତି ।
ଗୃହେ ଅଶ୍ରି ସ୍ଥିତ ହୃଦୟ ବ୍ୟଥିତ
ପାରେନା କାହାକୁ କହି
ତୁହି ମୋ ଭରସା ତୁହି ମୋର ଆଶା
ଦେବୁ ଲୋ ପାତକ ଧୋଇ ।
ତନୁ ଶୋଭା ମୋର ଫଟା ବସ୍ତ୍ର ହେଉ
ନୟନେ ଥାଉ ତୋ ଛବି
ବିଚ୍ୟୁତ ନହେଉ ତୋ ପାଦରୁ ଧ୍ୟାନ
ସଂସାର ଜଂଜାଳ ଭାବି ।
ସୀସା ପରି ମୋତେ କରିବୁନି ମା
ଭାଙ୍ଗି ଯିବି ନିମିଷକେ
ଫୁଲ ପରି ମୋତେ କୋମଳ କରିଦେ
ଭାସୁ ଥାଏ ପଛେ ଶୋକେ ।
ସୁଖ ଦୁଃଖ ପୂର୍ଣ୍ଣ ବହୁ ବ୍ୟସ୍ତତାରେ
ପଥ କଲି ଅତିକ୍ରାନ୍ତ
ତଥାପି ପ୍ରଭାତୀ ତୋ ଦୟାକୁ ଚାହିଁ
ହରାଇନି ଆଶା କାତ ।