କବିତା ଲେଖୁଛି ଅନୁଭୂତି
କବିତା ଲେଖୁଛି ଅନୁଭୂତି
ଅନୁଭୂତି ଆଜି କବିତା ଲେଖୁଛି
ଅନୁଭବେ ଚିନ୍ତା କରି,
ହୃଦୟର କଥା ତା'ମନର ବ୍ୟଥା
ଶୁଣନ୍ତୁ ହେ ଦୟାକରି।
ପ୍ରେମ ଗୋଟେ ଶବ୍ଦ ଆଜି ହଜିଲାଣି
ବିଶ୍ଵାସ ମରିଗଲାଣି,
ସ୍ନେହ,ଶ୍ରଦ୍ଧାଗୁଡ଼ା ଚଢ଼ା ରେଏଟ୍ରେ
ବଜାରେ ବିକ୍ରି ହେଲେଣି।
ଭରଷା ଗୋଟିଏ ଏମିତିକା ଚିଜ
ଆଉ କିନ୍ତୁ ମିଳୁନାହିଁ,
ଆଶାର ଜଙ୍ଗଲ ସବୁଆଡେ କିନ୍ତୁ
ଗୋଟେ ଫୁଲ ଫଳ ନାହିଁ।
ନିର୍ଭର କରିବା ଏଠି ସିନା ବୃଥା
ଧାନର ଅଗାଡି ପ୍ରାୟ,
ହସ ଖୁସି ମାନେ ମୁହେଁ ରଙ୍ଗ ବୋଳି
କରୁଥାନ୍ତି ଅଭିନୟ।
ସୁଖ ମଧୁମେହ ରୋଗରେ ପୀଡିତ
ଶାନ୍ତି ଆଜି ସାଥିହରା,
ଭଲପାଇବାକୁ ବେଇମାନ ସ୍ଵାର୍ଥ
ବାନ୍ଧିନେଉଅଛି ପରା।
ତେଣୁ ବାଟେଘାଟେ କି ବଜାର ହାଟେ
ବିଶ୍ଵାସ ତ ମିଳେନାହିଁ,
ସେବା ଧର୍ମ ଦେଖି ମନ ମାନୁନାହିଁ
ସବୁ ସ୍ଵାର୍ଥ ଲାଗୁଥାଇ।
ବାଟରେ କାହାକୁ ଲିଫ୍ଟ ଦେବା ପାଇଁ
ଡରଭୟ ଲାଗୁଅଛି,
ପର ଗାଡ଼ିରେ ବି ଯିବାକୁ ବାଟୋଇ
ସନ୍ଦେହ ମଧ୍ୟ କରୁଛି।
ନିରାଶ୍ରା ନାରୀକୁ ସହାୟତା ପାଇଁ
ଏଠି ଭାବିବାକୁ ପଡେ,
ସେ ନାରୀର ମଧ୍ୟ ସନ୍ଦେହ ଉପୁଜେ
କି ସ୍ଵାର୍ଥ ଏହା ପଛରେ?
ବାପାମାଆଠାରେ ପୁଅଝିଅ ଏବେ
ଅବିଶ୍ବାସ କରୁଛନ୍ତି,
ଘରର ମୁରବୀ ନିଜେ ସାଜୁଛନ୍ତି
ନିଜେ ବାହା ହେଉଛନ୍ତି।
କିଏ ଯଦି କିଛି ଆମକୁ କହୁଛି
ସହାୟତା ଦେବା ପାଇଁ,
ତାହା ପ୍ରତି କିନ୍ତୁ ଆମର ବିଶ୍ବାସ
ସେତେବେଳେ ରହୁନାହିଁ।
ଅର୍ଥସର୍ବସ୍ଵ ଏ ଜୀବନ ସାଜିଛି
ମଣିଷ ଚିହ୍ନି ହେଉନି,
ଉପକାରୀଟିକୁ ସନ୍ଦେହୀ ଜୀବନ
କେବେ ବିଶ୍ଵାସ କରୁନି।
କିଏ ଯଦି ପୁଣି ମାନବିକତାର
ପରିଚୟ ଏଠି ଦିଏ,
ଅବିଶ୍ବାସ ଜାଲେ ଛନ୍ଦି ହୋଇ ସିଏ
ଖଣ୍ଡିଆ ଖାବରା ହୁଏ।
ସାଇବର୍ଠକେଇ ବୈଷୟିକ ଚୋରୀ
ବିଶ୍ଵାସ ତୁଟେଇଲାଣି,
ପ୍ରଶାସକ ପ୍ରତି ଏ ଜନମାନସେ
ଭରଷା ବି ତୁଟିଲାଣି।
ନେତାଜନତାର ରୋଗୀ ଡାକ୍ତରର
କିମ୍ବା ଗୁରୁଶିଷ୍ଯଙ୍କର,
ସ୍ଵାମୀ ଆଉ ପତ୍ନୀ ଗରାଖ ଦୋକାନୀ
ସାମନ୍ତ ସେବକଙ୍କର।
ପରଷ୍ପର ମଧ୍ୟେ ଭଲ ନାହିଁ କିନ୍ତୁ
ସନ୍ଦେହଟି ନିଶ୍ଚେ ଅଛି,
ସିଏ ମନ୍ଦ ଲୋକ ମୁଁ ଭଲ ଲୋକ
ଏଭାବ ସୃଷ୍ଟି ହେଉଛି।
ଦୁନିଆଁଟା ଆଜି ସତେ କଳୁଷିତ
ଲାଗେ ଖାଲି ଅବିଶ୍ବାସ,
ଭୂତ ପ୍ରେତ ହିଂସ୍ରଜନ୍ତୁ ଭୟ ନାହିଁ
ଭୟ ତ ଅଟେ ମଣିଷ।
ଭରଷା ବିଶ୍ଵାସ ସଂଜ୍ଞା ବୁଝୁଛନ୍ତି
ବରଂ ଆଜି ପଶୁମାନେ,
ମଣିଷଟି କିନ୍ତୁ ଭଣ୍ଡ ସାଜୁଅଛି
ସ୍ଵାର୍ଥ ପାଇଁ ପ୍ରତିକ୍ଷଣେ।
କିଏ କେଉଁ ଭଳି କାହାକୁ ଠକୁଛି
ତାହାର ହିସାବ ନାହିଁ,
ନୂଆ କିସମର ଅନ୍ଲାଇନ ଠକ
ଏବେ ଦିଶିଲେଣି ଭାଇ।
ସନ୍ଦେହ କପଟ ମାୟା ଅବିଶ୍ବାସ
ସବୁଠିଁ ବସିଛି ଫାଶ,
ଅଦେଖା ଯନ୍ତ୍ରଣା ଦେଉଅଛି କଷ୍ଟ
ଅମୃତ ଲାଗୁଛି ବିଷ।
ତଥାପି ଏ ମିଛ ଦୁନିଆଁରେ ମୂଳ
ବିଶ୍ଵାସଟି ଜଗନ୍ନାଥ,
ତାଙ୍କ ଭରଷାରେ ଦୁନିଆଁ ଦାଣ୍ଡରେ
ଗଡୁଛି ଏ ଦେହ ରଥ।