କାଶତଣ୍ଡୀ
କାଶତଣ୍ଡୀ
ଶରତ ଆସିଲେ ଧରି
ଶୋଭା ର ପସରା
କମକୁଟେ କାଶତଣ୍ଡୀ
ନଈପଠା ସାରା ।
ସବୁ ରଙ୍ଗ ମିଶିଗଲେ
ହୋଇଯାଏ ଧଳା
ଧଳା ଯେଣୁ କାଶତଣ୍ଡୀ
ସବୁ ରଙ୍ଗ ବୋଳା ।
ଧଳା ବୋଲି ରୂପ ତାର
ମନ ନିଏ କିଣି
ଶରତ ଆସିଛି ବୋଲି
ଯାଏ ସେ ବଖାଣି ।
ବନ୍ଧବାଡେ କାଶତଣ୍ଡୀ
ଫୁଲର ଗଜରା
ଦେଖି ତାକୁ ଧରାପରା
ଛାଇ ଆଉ ଖରା ।
ଆକାଶ ରେ ଧଳା ମେଘ
> କରନ୍ତି ରୋଷଣୀ
କାଶତଣ୍ଡୀ କହୁଥାଏ
କାକର କାହାଣୀ ।
ଭୋଦେଇ ସକାଳ ନିତି
ଲାଗେ ନୂଆନୂଆ
କେତେ ଓଷା କେତେ ବ୍ରତ
ହସଇ ଦୁନିଆ ।
ପବନରେ କାଶତଣ୍ଡୀ
ଉଛୁଳା ତରଙ୍ଗ
ପର୍ବ ଆଉ ପାର୍ବଣୀ ରେ
ମାଖେ ନୂଆ ରଙ୍ଗ ।
ନଥାଉ ପଛକେ ତାର
ବାସ କି ମହକ
କାଶତଣ୍ଡୀ ଭରିଦିଏ
ଅଜଣା ପୁଲକ।