କାଳିଆ ସାଆନ୍ତ
କାଳିଆ ସାଆନ୍ତ
ଜଗତର ନାଥ ଜଗନ୍ନାଥ ତୁହି
ପୁରୀ ଧାମେ ପୂଜା ପାଉ
ପାପୀଙ୍କୁ ଉଦ୍ଧାର କରିବାର ପାଇଁ
ରଥେ ବିଜେ କରିଥାଉ।
ତୋପରି ଠାକୁର ଥାଉଁଥାଉଁ ମୁଁଯେ
ହୋଇଲି ନିରେଖ ପ୍ରଭୁ
କାଆଗେ କହିବି ଦୁଃଖର କାହାଣୀ
ତୁମେ ପରା ମୋର ବିଭୂ।
ଅନ୍ତର ବେଦନା ବୁଝି ନ ପାରିଲେ
ଜୀବନ ହାରିବି ସିନା
ରହିକି ପାରିବି ମରତ୍ତ ଭୁବନେ
ତୋହରି ଆସରା ବିନା।
ପତିତ ପାବନ ଉଡ଼େ ଫରଫର
ଦେଖନ୍ତି ଜଗତ ଜନ
ପତିତ ଜନଙ୍କୁ ଉଦ୍ଧାର ନକଲେ
କି ଯଶ ପାଇବୁ ଧନ।
ସତ କହ ଆହେ କାଳିଆ ସାଆନ୍ତ
କି ଦୋଷ କରିଛି ମୁହିଁ
କାହିଁପାଇଁ ମୋତେ ଏତେ ଦଣ୍ଡ ଦେଉ
କହରେ କହ୍ନେଇ ତୁହି।
ତୁମକୁ ବିଶ୍ୱାସ କରି ଯେବେ ମୁହିଁ
ନିରାଶ ହୋଇଲି ନାଥ
କାହା ଆଗେ ଆଉ ଗୁହାରୀ କରିବି
ପତାଇ ମୋହର ହାତ।
କହିଦିଅ ଥରେ ଜଗତର ନାଥ
କାହାକୁ ଆସରା କରି
ବଞ୍ଚିବି ସଂସାରେ ଭୁଲିବି ଦୁଃଖ ମୋ
କାହା ନାମ ଆଉ ଧରି।
ତୋହରି ବିଶ୍ୱାସେ ଅନ୍ଧ ହୋଇ ମୁଁଯେ
ହୋଇଅଛି ପଥହରା
ଦିଶୁ ନାହିଁ ପଥ କିପରି ଚାଲିବି
ଅମଡା ବାଟରେ ପରା।
କହିଦିଅ ତୁମେ ବିଶ୍ୱର କରତା
ଅନ୍ତର ବେଦନା ମୋର
କିଦେଇ ତୋଷିଲେ ହୃଷ୍ଟ ହେବୁ କହ
ଦୁଃଖମୋ କରିବୁ ଦୂର।
ମୋ ଦୁଃଖ ଦୁରିତ ନକର ତୁମେ ହେ
ପତିତପାବନ ହରି
ତୁମରି ପୟରେ ଦିନ ହୀନ ଦାସ
କରୁଅଛି ଯେ ଗୁହାରୀ।
ପବିତ୍ର ଅକ୍ଷୟ ତୃତୀୟା ଦିବସେ
କରୁଛି ପ୍ରଣତି ଘେନ
ସଂସାରର ଦୁଃଖ ହେଲା ଅପ୍ରମିତ
ଫେଡ ହେ ଚକାନୟନ।