କାହିଁକି ହେବି ମୁଁ ଖୁସି ?
କାହିଁକି ହେବି ମୁଁ ଖୁସି ?
ବାରବାର ମୁହିଁ ପଚାରେ ମନକୁ
କହ ମୋତେ ତୁ ଭରସି
ଯାହା ଚାହୁଁଅଛି ତାହା ନ ପାଉଛି
କାହିଁକି ହେବି ମୁଁ ଖୁସି ?
ଉତ୍ତରରେ ମନ ଆଶ୍ବାସୀ କହଇ
ତୋହ ବୁଦ୍ଧିକୁ ପଚାର
ନିଶ୍ଚୟ ତାହାଠୁ ପାଇଯିବୁ ତୁହି
ସବୁ ପ୍ରଶ୍ନର ଉତ୍ତର ।
ବିବେକ ମୁରୁକି ହସିକି କହଇ
ଯାହା ଅର୍ଜୁଛୁ ଭୁଞ୍ଜୁଛୁ
ମନ ଚାହିଁ ଦେଲେ ମିଳିବ କେମିତି
କର୍ତ୍ତବ୍ୟ ଯଦି ଭୁଲୁଛୁ ।
ପ୍ରାରବ୍ଧ, ଏ ଜନ୍ମ କରମର ଫଳ
ଯାଚି ଦିଅନ୍ତି ଈଶ୍ବର
ତାହାରି ଭିତରେ ଖୁସିକୁ ଖୋଜିବା
କରମ ହେଉଛି ତୋର ।
ମୋ ଭାଗ୍ୟ ଖୁସିକୁ ନେଉଛି ଛଡ଼ାଇ
ଦୋଷ ବା ଦେବି କାହାକୁ
ବୃଥା ଅପଳାପ କରି ତୋ ସହିତ
ଚିନ୍ତିବି କେଉଁ ଲାଭକୁ ।
ମୋଠାରୁ ଏକଥା ଶୁଣି ବୁଦ୍ଧି କହେ
ବୃଥା ଭାଗ୍ୟକୁ ତୁ ନିନ୍ଦି
କି ଲାଭ ପାଇବୁ ନିଜକୁ ନଚିହ୍ନି
ହୋଇ ଲୋଭ ମୋହେ ବନ୍ଦୀ ।
ସହଜ ନୁହଁଇ ଈଶ୍ବରେ ପ୍ରାପତ
ନଥିଲେ ମନ ସଂଯମ
ଚେତନା ଉଦୟ କରିଲେ ହୃଦୟ
ନଥିବ ପ୍ରଶ୍ନର ଭ୍ରମ ।