କାହିଁ ଭଲ ପାଅ ଏତେ
କାହିଁ ଭଲ ପାଅ ଏତେ
ନିରବ ନିଶୀଥେ ନିବିଡ଼ ଜୋଛନା ତଳେ,
ବସିଥିଲି ମୁହିଁ ଶୀତଳ ସମୀର ତାଳେ।
ଧରିଥିଲି ହାତେ ଦୂରଭାଷ ଯନ୍ତ୍ର ମୋର,
ସହସା ବାରତା ଆସିଲା ଯେ ବାର ବାର।
ଆପଣାର କେହି ଦେଇଚି ବାରତା ଭାଳି,
ମଉନେ ରହିଲି ଦୂରଭାଷ ଯନ୍ତ୍ର ତୋଳି।
ପରାଣ ମୋହର କହୁଥିଲା କାନେ କାନେ,
ସତେ କି' ସେଦିନ 'କିଛି' ହେଉଥିଲା ମନେ।
ଦେଖିଲି ବାରତ୍ତା ଦେଇଚି କେ' ଜଣେ ସାଥୀ,
ସେ ସାଥୀ ଜଣକ ନୁହେଁ ପରିଚିତା ନିତି।
ସେଦିନୁଁ ସେ ସାଥୀ ଦିଅଇ ବାରତ୍ତା ମତେ,
ଦିବା ଆଉ ନିଶି ଅବା ପ୍ରଦୋଷେ ପ୍ରଭାତେ।
ଶୁଭ ସକାଳର ଶୁଭେଚ୍ଛା ବାରତ୍ତା ପାଶେ,
କେତେ ପରକାରେ କେତେ ରୂପ ଧରି ଆସେ।
ନିତି ନିତି ସେତ ପ୍ରଭାତୁ ଉଠାଇ ମତେ,
ଜଣାଏ ଶୁଭେଚ୍ଛା କେଡେ ଆନନ୍ଦର ସାଥେ।
ପଚାରଇ ନିତି ଭଲ ମନ୍ଦ ବାଣୀ ବାରେ,
କି ସେନେହ ସତେ ରହି ଅଛି ଭରି ତାରେ!
ଆନନ୍ଦେ ସେ କରୁଥିଲା ସ୍ନେହ ବାରି ଦାନ,
ମୋ ଚିତ୍ତ ପରାଣ ତାହା କରୁଥିଲା ପାନ।
<
strong>ନିବିଡ଼ ବନ୍ଧୁତା ଗଢି ଉଠେ କାଳ କ୍ରମେ,
ଭ୍ରମର ଯେମନ୍ତ ନିଇତି କୁସୁମ ଚୁମେ।
ଜୀବନ ପ୍ରଭାତେ ମୋର ଆସିଲ ଯେ'ଦିନୁଁ,
ଦାରୁଣ ନିଦାଘ ଗଲା ମୋ ଚିତ୍ତ ବଦନୁଁ।
ଶୁଭେଚ୍ଛା ଦେବାରେ ତିଳେ ଭୁଲି ନାହଁ ମତେ,
ଜଞ୍ଜାଳ ତୁମର ଥିଲେ ଥାଉ ପଛେ ଯେତେ।
'ଶୁଭ ରାତ୍ରି' ନିତି ଲେଖେ ସେ ଶୟନ କାଳେ,
ସେ ପଦେ ଲେଖା ମୁଁ ପଢି ଯାଏ ନିଦ୍ରା ତିଳେ।
କାହାଣୀ, କବିତା ଯେତେ ଯେତେ ଲେଖେ ମୁହିଁ,
ଏସବୁ ସମ୍ଭବ ତୁମରି ପ୍ରେରଣା ପାଇଁ।
ସେ ପ୍ରେରଣା ମତେ ଜୀବନ ଦେଇଛି ଆଜି,
ବୀର ସମ ବାହି ଯିବି ଦୁର୍ଦ୍ଦିନ ରାଜି।
ତବ ଏ ପ୍ରେରଣା ଦେଲା ନୂଆ ଅବତାର,
ସେ'ପାଇଁ ହୁଏ ମୁଁ ସକଳ କରମେ ବୀର।
ଲେଖିବାରେ ଯଦି ଶିଥିଳ ହୁଅଇ କର,
ଦୂରୁଁ ସେ କହଇ 'ହୁଅ ସାଥୀ ଅଗ୍ରସର'।
ଦୁର୍ଦ୍ଦିନେ ତେଣୁ ଆଉ ଡର ନାହିଁ ସତେ,
ଜାଣିଲିଣି ଠିକେ ଭଲ ପାଏ ଜଣେ ମତେ।
କେତେ ଆପଣାର ସାଥୀ ଥାଇ ଏ ଜଗତେ,
ତୁମେ କାହିଁ ସାଥୀ ଏତେ ଭଲ ପାଅ ମତେ?