କାହାଣୀ ଶେଷରେ
କାହାଣୀ ଶେଷରେ
କାହାଣୀ ଶେଷରେ ରହି ଯାଏ ଯାହା
କିଛି ପ୍ରଶ୍ନ କିଛି ନିଆଁ
ପୂର୍ଣଛେଦ ପରେ ରହି ଯାଏ କିଛି
ଅବଶୋଷର ଧୂଆଁ।
କିଛି ଘଟଣାର କରି ବିଶ୍ଳେଷଣ
ପାଏ କିଛି ଅନୁଭୂତି,
ଆଉ କିଛି ଦୁର୍ଘଟଣା ଭରି ଦିଏ
ମନଟା ସାରା ବିରକ୍ତି।
କଳ୍ପନା ଚକ୍ଷୁରେ ନିଜେ ଗଢ଼ି ବସେ
ସେ କାହାଣୀର ପ୍ରତିରୂପ,
ନିଜ ରଙ୍ଗରେ ମୁଁ ମାଖି ଦିଏ ତନୁ
ଦେଇ ତାକୁ ନବ ରୂପ।
ଅବଶୋଷ ରହିଯାଏ କାହାଣୀର
ପୁର୍ଣ ସମାପ୍ତି ପରେ,
ଆଉ କିଛି ଯୋଡ଼ିବାକୁ ହୁଏ ଇଛା
ଶେଷ ପରିଚ୍ଛେଦ ପରେ।
ଅବଶୋଷ ଏକ ଆଶା ଅନୁରୂପ
ଅପ୍ରାପ୍ତିର ପ୍ରତିଛବି,
ଜୀବନ ଯାକର କାହାଣୀ ଶେଷରେ
ଆରମ୍ଭର ଏକ ଚାବି।
କେଜାଣି କାହିଁକି କାହାଣୀ ଶେଷରେ
ଅପୂର୍ଣତା ଜାଗି ରହେ,
ଆଉ କିଛି ହେଲେ ଭଲ ହୋଇ ଥାନ୍ତା
ଏହି ଭାବ ଶେଷେ ରହେ।
ସୁଖ ସବୁବେଳେ ଶେଷ ହୁଏ ନାହିଁ
ଦୁଃଖରେ କାହାଣୀ ସରେ
ନିଆଁ ଯାଏ ଲିଭି ରାତି ପାହିଗଲେ
ଧୂଆଁରେ ସକାଳ ମରେ।
ନେତି ନେତି ରୁ ହିଁ ସୃଷ୍ଟି ସରଂଚନା
ଅସନ୍ତୋଷରୁ ହିଁ ଜୀବନ,
ଆଶା ସ୍ୱପ୍ନ ଅଭିଳାଷ ସଙ୍ଗେ ନେଇ
ବୟସର ଅଭିମାନ।
ଅବଶୋଷ କେବେ ଶେଷ ନୁହେଁ ଏକ
ନୂଆ କାହାଣୀର ସ୍ରଷ୍ଟା,
ଜୀବନ ଯେପରି ବେଳାଭୂମି ତୀରେ
କେବେ ଜୁଆର ଓ ଭଟ୍ଟା।
ଏମିତି ଅସରା କାହାଣୀ ଶେଷରେ
ନ ଲାଗୁ ପୂର୍ଣଛେଦ,
ସମୟ ଅସୀମ ଜୀବନ ସଂକ୍ଷିପ୍ତ
ବଢ଼ି ଚାଲୁ ପରିଚ୍ଛେଦ।