ଜ୍ଞାନ ନାହିଁ ମୋର
ଜ୍ଞାନ ନାହିଁ ମୋର
ଜୟ ଜୟ ଦୁର୍ଗେ ସଙ୍କଟ ତାରିଣୀ
ଜ୍ଞାନନାହିଁ ମୋରକିଛି,
ଆରାଧ୍ୟ ମୋହର ଗୃହସ୍ତା ଧର୍ମରେ
ଭରି ଦିଅ ଜ୍ଞାନ କିଛି।
ତବ ବିନୁ ଗତି ନାହିଁ ଜଗମାୟା
ରକ୍ଷା ବିପଦରୁ କର,
ତୁହି ନରଖିଲେଆଉ କେ ରଖିବ
ସବୁତ ହସ୍ତରେ ତୋର।
ଜଗତର ମାତା ତୁହି ଆଦି ଶକ୍ତି
ପାପୀଙ୍କୁ ବିନାଶ କର,
ଧର୍ମର ସ୍ଥାପନ ମୃତ୍ୟୁ ଲୋକେ ପରା
ଜନଙ୍କ କଲ୍ୟାଣ କର।
ପୂଜନ କରିବି ମାତାହେ କିଦେଇ
ମୋହରତ କିଛିନାହିଁ,
ପ୍ରେମଶ୍ରଦ୍ଧା ଭକ୍ତି କରିଣ ଅର୍ପଣ
ପୂଜନ କରିବି ମୁହିଁ।
ମର୍ତ୍ତ୍ୟେ ଆସିଅଛ ମାନବ କଲ୍ୟାଣେ
କଲ୍ୟାଣ କର ଗୃହର,
ଶକ୍ତିଶାଳୀ କର ରାଷ୍ଟ୍ରକୁ ଆମର
ଗୌରବ ମିଳୁ ରାଷ୍ଟ୍ରର।
କୈଳାସ ପର୍ବତୁ ଆସିଅଛ ମାତା
ପୂଜନ କରିବି ମୁହିଁ,
ହୋଇଛି ସଜ୍ଜିତ ପୂଜାସ୍ଥାନ ତୋର
ଭକ୍ତିରେ ସେବିବି ମୁହିଁ।
ନମଃନମଃ ଦୁର୍ଗେ ରାବ୍ ଶୁଭୁ ଅଛି
ବହୁଛି ଭକ୍ତି ସାଗର,
ମର୍ତ୍ତ୍ୟେ ଆଗମନ ପ୍ରାକୃତିକ ଛଟା
କରୁଛି ସ୍ବାଗତ ତୋର।
କାଶତଣ୍ଡୀ ଫୁଲ ଧବଳମୟଟି
ସ୍ବାଗତରେ ଝୁଲୁ ଅଛି,
ସୁଗନ୍ଧିତ ପୁଷ୍ପ ତୋର ସ୍ବାଗତରେ
ଗନ୍ଧ ନେଇ ଠିଆ ଅଛି।
ମୃତ୍ୟୁଲୋକ ଏହୁ ଭକ୍ତିରେ ଆତୁର
କରନ୍ତି ଭକ୍ତିରେ ପୂଜା,
ମହିଳା ତତ୍ପର ତହରି ଭକ୍ତିରେ
ପ୍ରେମ ଓ ଶ୍ରଦ୍ଧାରେ ପୂଜା।
ବିଭିନ୍ନ ବସ୍ତ୍ରରେ ପରିଧାନ ହୋଇ
ମହିଳା କରନ୍ତି ପୂଜା,
ତବଭକ୍ତି ଗୀତ ଗାଆନ୍ତି ଶ୍ରଦ୍ଧାରେ
କରନ୍ତି ରୀତିରେ ପୂଜା।
ମନବାଞ୍ଚା ପୂର୍ଣ୍ଣ କର ଜଗମାୟା
ଆସିଛ କଲ୍ୟାଣ ପାଇଁ,
ଶତ୍ରୁ ଦର୍ପ ଚୂର୍ଣ୍ଣ କରହେ ଜନନୀ
ଜଗତ ଶାନ୍ତିର ପାଇଁ।
ମହିଷାସୁରର ବିନାଶ କରିଲ
ଦୁର୍ଗାଙ୍କ ରୂପକୁ ଧରି,
ଅବତୀର୍ଣ୍ଣ ହେଲ ପାପ ବିନାଶନେ
ଭୈରବୀ ରୂପକୁ ଧରି।
ଶକ୍ତି ନାହିଁ ମାତା କିପରି ଚିହ୍ନିବି
ଜଗତ ଜନନୀ ତୁମେ,
ଦିଅ ଆଶିର୍ବାଦ ଅଜ୍ଞାନୀ ସନ୍ତାନେ
ଗୃହର ଆରାଧ୍ୟ ତୁମେ।