ଜୀବନର ଅଧ୍ୟାୟ ନୂତନ
ଜୀବନର ଅଧ୍ୟାୟ ନୂତନ
ପ୍ରତିଦିନ ବାହାରି ଥାଏ ମୁଁ ପ୍ରାତଃ ଭ୍ରମଣରେ
ଭେଟିଥାଏ ଅନେକ ଚିହ୍ନାଓ ପରିଚିତ ମୁହଁ ସାଥିରେ,
ସଭିଙ୍କ ମୁଖେ ଖେଳୁଥାଏ ସତେଜତା ଓ ଉଲ୍ଲାସ
ପ୍ରାତଃ ଭ୍ରମଣ ମନେ ଭରି ଦିଏ ଆନନ୍ଦ ବିଶେଷ ।।
ପ୍ରତିଦିନ ଭେଟିଥାଏ ମୁହିଁ ଦୁଇଟି ଚେହେରା ସହିତ
ବୟସ ପ୍ରାୟ ଷାଠିଏ କିନ୍ତୁ ଆସନ୍ତି ଦୁହେଁ ନିୟମିତ
କିଛି ସମୟ ଚାଲିବା ପରେ ବିଶ୍ରାମ କରନ୍ତି ଏକତ୍ର
ନିଜ ନିଜ ଦୁଃଖ ସୁଖ ବଖାଣନ୍ତି ଯେପରି ପରମ ମିତ୍ର ।।
ବୃଦ୍ଧାଙ୍କ କିଛି ଦିନର ଅନୁପସ୍ଥିତି ସଭିଙ୍କ ମନେ ଦେଲା ସଙ୍କା
ପୁଣି ଥରେ ତାଙ୍କୁ ଭେଟିବାରୁ ମନେ ଚହଟିଲା ଆନନ୍ଦର ଝୋକା
ବୃଦ୍ଧ ବ୍ୟକ୍ତି ମଧ୍ୟ ଆସି ଛିଡାହେଲେ ତାଙ୍କ ସମିପରେ
ଦୁହେଁ ମଜିଗଲେ ପୁଣି ତାଙ୍କ ପୁରୁଣା ବାର୍ତ୍ତାଳାପରେ ।।
ତହୁଁ ପରଦିନ ଭେଟିଲି ମୁହିଁ ପୁଣି ସେହି ବୃଦ୍ଧାଙ୍କ ସହ ପୁଣି
ମୋତେ ଦେଖି ବଖାଣି ବସିଲେ ତାଙ୍କ ଅତୀତର କାହାଣୀ
ବିବାହର ଦଶ ବର୍ଷ ପରେ ହୋଇଲି ମୁଁ ବିଧବା ଓ ଅସହାୟ
ମଥାରେ ମୋର କନ୍ୟା ଓ ଶିଶୁ ପୁତ୍ରର ସମସ୍ତ ଦାୟିତ୍ବ ହାୟ ।।
ପାଠପଢି ପୁତ୍ର କନ୍ୟା ମୋର ହୋଇଲେ ପ୍ରତିଷ୍ଠିତ
ବାହାସାହା ହୋଇ ନିଜ ପରିବାରରେ ସେମାନେ ବ୍ୟସ୍ତ
ମୁଁ ଏହି ବୃଦ୍ଧା ବୟସରେ ରହିଲି ଅତିତର ସ୍ମୃତି ସହିତ
କାହାକୁ କହିବି ମୋ ମନ କଥା ସେଥିପାଇଁ ମୁଁ ଦୁଃଖିତ ।।
ଏହି କଥା ଶୁଣି ବୃଦ୍ଧ କହିଲେ,ମୋ ଜୀବନେ ମଧ୍ୟ ସମାନ ଘଟଣା
ଜୀବନ ଠାରୁ ଅଧିକ ଭଲପାଏ ଯାହାଙ୍କୁ, ତାଙ୍କ ପାଇଁ ମୁଁ ଅଜଣା
ମୋ ନିଜ ପରିବାର ଠାରେ ହୋଇଲି ମୁଁ ଅଲୋଡ଼ା
ଭାବିନଥିଲି ଯାହାଙ୍କର ଥିଲି ଦିନେ ପ୍ରିୟ, ତାଙ୍କ ଠାରୁ ଖାଇବି ତଡା ।।
କିଏ ଜାଣେ କେତେବେଳେ ଜୀବନରେ ଘଟିବ ପରିବର୍ତ୍ତନ
ପରିପକ୍ୱ ବୟସରେ ଆରମ୍ଭ କରିବା ଜୀବନର ଅଧ୍ୟାୟ ନୂତନ
ପ୍ରାତଃ ଭ୍ରମଣ ରେ ଆମେ ପ୍ରତିଦିନ ଏହିପରି ସାଙ୍ଗ ହୋଇ ଆସିବା
ପ୍ରେମୀ, ବନ୍ଧୁ ଓ ସାଥି ହୋଇ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିକଟରେ ରହିବା