ଜୀବନ
ଜୀବନ


ଜୀବନଟା ଏକ ରଙ୍ଗମଞ୍ଚ ସତେ
ଆମେ ସବୁ କଳାକାର
ଜନମରୁ ମୃତ୍ୟୁ ଅଭିନୟ କରି
ବଞ୍ଚିବା ତ ଏଠି ସାର ।
ପ୍ରତି ପାହାଚରେ ଅବସ୍ଥା ବଦଳେ
ବଦଳୁଛି ମନକାୟା
ମାନସ ପଟରେ ସ୍ମୃତିର ସଙ୍କେତ
ରୋମାଞ୍ଚିତ ମୋହମାୟା ।
ଶୈଶବ ଅବସ୍ଥା ସବୁଠୁ ନିଆରା
ସ୍ନେହ ପ୍ରେମ ଡୋରେ ବନ୍ଧା
ନଥାଏ ଭାବନା ପର କି ଆପଣା
ନିରୀହ ମନରେ ସଦା ।
ସମୟ ଚକ୍ରରେ ବାଲ୍ୟ ଅବସ୍ଥାରେ
ଶିଶୁ ହୁଏ ଉପନୀତ
ଚପଳତା ଭରା ଜୀବନ ପାହାଚ
ଛଳନାରୁ ଥାଏ ମୁକ୍ତ ।
ଶିକ୍ଷାଦୀକ୍ଷା ଦେଇ ଭବିଷ୍ୟତ ପାଇଁ
ଗଢ଼ିଥାନ୍ତି ବାପାମାଆ
ଦୁନିଆ ଦାଣ୍ଡରେ ଖୁସିରେ ଖୁସିରେ
ବିତେ ଜୀବନର ନାଆ ।
ସମ୍ବେଦନଶୀଳ ତୃତୀୟ ପାହାଚ
ମଣିଷର ଯୁବାବସ୍ଥା
କଳ୍ପନା ସ୍ରୋତରେ ଭାସିଯାଏ କେବେ
କେବେ ଛୁଏଁ ବାସ୍ତବତା ।
ଆଶା ନିରାଶର ଜୀବନ ନଈରେ
କେବେ ଖୁସି କେବେ ଦୁଃଖ
ଜୀବନ ଜଞ୍ଜାଳ ମୁଣ୍ଡେଇ ମୁଣ୍ଡରେ
ସାଉଁଟେ ଜୀବନେ ସୁଖ ।
ଯୌବନ ପାହାଚ ଅତିକ୍ରମ ପରେ
ବୃଦ୍ଧାବସ୍ଥା କରେ ଗ୍ରାସ
ଲୋଭମୋହ ମୁକ୍ତ ମନପ୍ରାଣ ନିତ୍ୟ
ଭଜୁଥାଏ ଭକ୍ତିରସ ।
ଚାତକ ନୟନେ କାଳ ରହିଥାଏ
ଶେଷ ପାହାଚକୁ ଚାହିଁ
ମୃତ୍ୟୁର ପରଶେ ଅଭିନୟ ସାରି
ପିଣ୍ଡେ ପ୍ରାଣ ଯାଏ ଶୋଇ ।