ଜୀବନ ଯମୁନା
ଜୀବନ ଯମୁନା


ଉଜାଣି ବହୁଛି ଜୀବନ ଯମୁନା
ଥଳ କୂଳ ପାଉ ନାହିଁ
ଉବୁ ଡୁବୁ ହୁଏ ଏ ଭବ ସାଗରେ
ରକ୍ଷାକର ଭାବଗ୍ରାହୀ ।
ଯୁଆଡକୁ ଗଲେ ବତାସର ଝଡ
ଭାଙ୍ଗି ଦେଇ ଯାଏ ସେ ଆଶାର ନୀଡ
ସାହାରା କେହି ମୋ ନାହିଁ ।
ରକ୍ଷା କର ଭାବଗ୍ରାହୀ ।
ଲକ୍ଷେ ଯୋଜନରେ ଗଜ ଡାକ ଦେଲା
ତା ଡାକ ଶୁଣିଲ କର୍ଣ୍ଣେ
ଅର୍ଜୁନ ରଥରେ ସାରଥି ହୋଇଣ
ରକ୍ଷା କଲ ପ୍ରତିକ୍ଷଣେ ।
ବନ୍ଧୁ ମହାନ୍ତିର ବନ୍ଧୁତ୍ବ ରଖିଲ
ଦେଲ ତାକୁ ଅନ୍ନ ଥାଳି
ବଳରାମ ବାଲି ରଥେ ବିଜେ କଲ
ଘେନି ଭକତି ଅଞ୍ଜଳି ।
ପ୍ରହ୍ଲାଦ ରଖିଲ ହୋଲିକା ନାଶିଲ
ଶଙ୍ଖାସୁର ମାରି ବେଦ ଉଦ୍ଧାରିଲ
ଧର୍ମ ସ୍ଥାପିଲ ଏ ମହୀ ।
ରକ୍ଷାକର ଭାବଗ୍ରାହୀ ।
ଗୋବର୍ଦ୍ଧନ ଗିରି ପୂଜା କରି ତୁମେ
ଇନ୍ଦ୍ର ଗର୍ବ ଖର୍ବ କଲ
ବାମନ ରୂପରେ ବଳୀକୁ ଚାପିଲ
ପାତାଳରେ ସ୍ଥାନ ଦେଲ ।
ମୃଗୁଣୀକୁ ଘୋର ବିପଦୁ ରଖିଲ
ଆହେ ପ୍ରଭୁ ନାରାୟଣ
ଅଜାମିଳ ପାପୀ ନାରାୟଣ ଡାକି
ଲଭିଲା ତୁମ ଚରଣ ।
ସୁଦାମର ଖୁଦ ଭଜାକୁ ଖାଇଲ
ଦାସିଆ ନଡିଆ ହାତରେ ଯେ ନେଲ
କର ବାରେ ମୋତେ ତ୍ରାହି ।
ରକ୍ଷାକର ଭାବଗ୍ରାହୀ ।
ଅବଶ ହେଲାଣି ଏ ଶରୀର ମୋର
ପାଦ ବି ଗଲାଣି ଥକି
କଣ୍ଟାର ଯନ୍ତ୍ରଣେ ରକ୍ତ ବୋହି ଯାଏ
ଅଧାରେ ଯାଏ ଅଟକି ।
ନିନ୍ଦା ଅପବାଦ କଳଙ୍କ କାଳିମା
ସବୁ ଲେଖା ମୋ କପାଳେ
ଝଡ ତୋଫାନରେ ଜୀବନ ନାଟିକା
ଭିଜୁଛି ଲୁହ ସଲିଳେ ।
ଜୀବନ ଯମୁନା ଯାଏ ବହି ବହି
କାତ କେଲୁଆର ତାର କିଛି ନାହିଁ
ଚରଣେ ଶରଣ ମୁହିଁ ।
ରକ୍ଷାକର ଭାବଗ୍ରାହୀ ।
ଏ ଜୀବନ ମୋର ତୁମରି ପାଦରେ
ସମର୍ପି ଦେଇଛି ପ୍ରଭୁ
ତୁମକୁ ଭରସା କରି ଚାଲୁ ଅଛି
ଜାଣିନି ପାପ ପୁଣ୍ୟକୁ ।
ଜୀବନ ଯମୁନା ଯନ୍ତ୍ରଣା ନଈରେ
ତୁମେ ଏକା ସାହା ମୋର
ତୁମ ବିନା ମୋର ନାହିଁ ଆନ ଗତି
ଆହେ ପ୍ରଭୁ ଚକ୍ରଧର ।
ମାରିଲେ ମାରିବ ରଖିଲେ ରଖିବ
ଯାହା ଇଚ୍ଛା ପ୍ରଭୁ କରି ଯେ ପାରିବ
ସମର୍ପି ଦେଇଛି ମୁହିଁ ।
ରକ୍ଷାକର ଭାବଗ୍ରାହୀ ।