ଜୀବନ ରଙ୍ଗ
ଜୀବନ ରଙ୍ଗ
ସମୟ ଚକ୍ର ଚାଲିଛି ଗଡି
ମାସ ପରେ ମାସ ଯାଉଛି ବିତି
ପ୍ରକୃତି ବଦଳାଉଛି ରଙ୍ଗ ତାର
ବାରମାସୀ ଚଢେଇ ବି ବଦଳାଇଲାଣି ରୂପ ତାର
ହେଲେ ବଦଳିନି ଜୀବନ ମୋର ।।
ସମୟ ସହ
ଲୋକମାନେ ବଦଳାନ୍ତି ନିଜ ରୂପ ରଙ୍ଗ
ଆଜି ଯିଏ ନିଜର କାଲି ସିଏ ପର
ସେଥିପାଇଁ ତ ଏ ଦୁନିଆଟା ପରା ସ୍ୱାର୍ଥପର।।
ନିଜ ଗୁଣର ରଙ୍ଗ ବଦଳାଇ
ଲୋକମାନେ ମୁଖଟା ପିନ୍ଧି
ମିଠା ମିଠା କଥା କହି
ବିଶ୍ୱାସରେ ଦିଅନ୍ତି ପରା ବିଷ ଭରି।।
ଜୀବନା ତ କେତେବେଳେ
ଭରିଯାଏ ପ୍ରେମ ରଙ୍ଗରେ
ପୁଣି ହୋଇଯାଏ ବେରଙ୍ଗ ପ୍ରତାରଣାରେ
ଜୀବନ ରଙ୍ଗ କେବେ ବଦଳିବ କାହାକୁ ବା ଜଣା ଯେ।।
ଜଣା ନାହିଁ ମୋତେ
ଅନ୍ୟ ପରି ରଙ୍ଗ ବଦଳାଇବା କଳା ଯେ
ମୋ ପାଇଁ ହୃଦୟର କଥା ବଡ଼ ଯେ
କରେ ନାହିଁ ପାତର ଅନ୍ତର ମୁହିଁରେ।।
ମନ ହୁଏ ମୋର
ପଚାରିବା ପାଇଁ ସେଇ ବାରମାସୀ ଚଢେଇକୁ ଯାଇ
ରଙ୍ଗ ବଦଳାଇବା କଳା ଶିଖାଇବା ପାଇଁ
ମନର ଭାବନା ମନରେ ଲୁଚାଇ ରଖିବା ପାଇଁ।।
ମୋ ଜୀବନର ରଙ୍ଗ
ହୋଇ ଯାଆନ୍ତା କି ସବୁ ରଙ୍ଗର ସମାହାର
ଯେଉଁଠିକୁ ବି ଯାଆନ୍ତି ମିଶି ଯାଆନ୍ତି ସେଇ ରଙ୍ଗରେ
ଆଉ ରୁହନ୍ତା ନାହିଁ ପର ଆପଣାର ଭାବନା କାହା ସାଥେ।।
ହେଲେ ସବୁ ରଙ୍ଗ ମଧ୍ୟରେ
ସତ୍ୟତା ଆଉ ପ୍ରେମ ରଙ୍ଗ ସବୁବେଳେ ଥିବା ଦରକାର
ତେବେ ଯାଇ ଜୀବନେ ହୋଇବ
ଇନ୍ଦ୍ରଧନୁର ସମାହାର।।
ରଙ୍ଗ ଏମିତି ଯାଆନ୍ତା କି ବଦଳି
ଯେଉଁଠି ରୁହନ୍ତା ନାହିଁ
ଏ ଧରା ପୃଷ୍ଠରେ ମିଛର ରଙ୍ଗ
ଆଉ ରୁହନ୍ତା ନାହିଁ ସନ୍ଦେହର ଭାବ।।
ଯାଆନ୍ତା କି ଜୀବନର ରଙ୍ଗ ବଦଳେଇ
ସତ୍ୟ, ଭରସା ଓ ପ୍ରେମ ରଙ୍ଗରେ ଜୀବନଟି
ଯାଆନ୍ତି କି ହୋଇ ରଙ୍ଗେଇ
ଜୀବନ ଖୁସିରେ ଯିବ ଯେ ଭରି।।