ଜୀବନ ପାତ୍ର
ଜୀବନ ପାତ୍ର
ଜୀବନ ପାତ୍ର ମୋ ଶୁନ୍ୟ ହୋଇ ନାହିଁ
କେବେ ତୁମ କରୁଣାରୁ
ଲୋଡ଼ା ଯା ଯାଚିଛ ପୁରାଇଛ ଆଶା
ତୁମ ଆଶିଷ ମୁଣାରୁ।
ଦୁଃଖ ବହୁ ବାର ଆସିଅଛି ସତ
ସେ କିନ୍ତୁ ଯାଇଛି ବିତି
ତୁମ୍ଭକୁ ଯେବେ ମୁଁ ସ୍ମରିଛି ସେ କାଳେ
ପାହିଛି ବିଳମ୍ବ ରାତି।
କିଏ କହେ ତୁମେ ନିଷ୍ଠୁର ପଥର
ଶୁଣିଛ ମୋ ସବୁ କଥା,
ହାରିଯାଇ ଯେବେ ବିଷାଦେ ଡାକିଛି
ଆଉଁସିଛ ମୋର ମଥା।
ସୁଖରେ ଦୁଃଖରେ ପ୍ରତି ଅବସ୍ଥାରେ
ସାଜିଛ ମୋ ଚିର ସାଥି
ତୁମ ସ୍ମରଣରେ ଫିଟିଯାଏ ଯେତେ
ଅଫିଟା ଜୀବନ ତାଟି।
ପ୍ରାର୍ଥନା ମୋ ଯେବେ ପାଲଟେ ନିଷ୍ଫଳ
କରେ ନାହିଁ ମନ ଉଣା
ଭାବେ ତୁମେ କିଛି ରଖିଛ ମୋ ପାଇଁ
ଏହାଠାରୁ ବହୁ ଗୁଣା।
ପ୍ରମାଣ ପାଇଛି ପ୍ରତି ମୁହୂର୍ତ୍ତରେ
ତୁମେ ଅଛ ସାଥେ ବୋଲି
ମୋ ଜୀବନ ରଥେ ତୁମେ ହିଁ ସାରଥୀ
ପଦେ ସବୁ ସମ୍ପି ଦେଲି।