ଜୀବନ ଜୀବିକା
ଜୀବନ ଜୀବିକା
ଜୀବନେ ଜୀବିକା ହରାଇ ନିଜକୁ
ନିଜେ ମୁଁ ଯାଉଛି ଭୁଲି
ଜୀବିକା ଉଜୁଡି ଗଲାଣି ଜୀବନ
ଲାଗେ ଅବା ଚୋରାବାଲି ।
ବର୍ଷ ବର୍ଷ ଗୃହବନ୍ଦୀ ଜୀବନରେ
ଜୀବିକା ଗଲାଣି ବୁଡି
ନିରର୍ଣ୍ଣ ଜଠରେ ଭୋକର ଭୂଗୋଳ
ଦିଶେ ମାନଚିତ୍ର ପରି ।
ଜୀବନ ତ ଆଜି ଦୋଛକି ଉପରେ
ଆଗକୁ ନଦିଶେ ବାଟ
ବେଡି ପରେ କୋରଡାର ମାଡ଼ ପରି
ଲାଗୁଛି କରୋନା ଛାଟ ।
ଝଡ ବତାସରେ ଅଥୟ ଜୀବନ
ଶୂନ୍ୟ ଆଶା ଶୂନ୍ୟ ଭାଷା
ବରଡା ପତର ଅଗରେ ଝୁଲୁଛି
ମୋ ଟିକି ବାଇଆ ବସା ।
ଜୀବନ ଯେତିକି ଗହନ ସେତିକି
କଠିନ ଜୀବିକା ଜ୍ଵାଳା
ଜୀବିକା ପଥରେ ଜୀବନ ପନ୍ଥୋଇ
ପାଇଁ ମରଣ ର ଖେଳା ।
ଯେତିକି ଅନ୍ଧାର ସେତିକି ଆଲୋକ
ଜୀବନ ଗହନ ବନେ
ପୁଞ୍ଜିଭୁତ ଦୁଃଖେ ଜୀବିକା ବିପନ୍ନ
ହୋଇଯାଏ କ୍ଷଣେ କ୍ଷଣେ ।
ଅସମୟ ଏହି ଅନ୍ଧାର ରାତିରେ
ନିଃସହାୟରେ ବିରସେ
ଅସହାୟ ହୋଇ ସମାଜେ ଜୀବିକା
ଜଳରେ ଜୀବନ ଭାସେ ।