ଝୁରୁଛି ଯମୁନା
ଝୁରୁଛି ଯମୁନା
ମାଧୁର୍ଯ୍ୟ,ଔଦାର୍ଯ୍ୟ,ଐଶୂର୍ଯ୍ୟଲୀଳାର
ମୂର୍ତ୍ତିମନ୍ତ ନରହରୀ
ତ୍ରୟ ଲୀଳା ସମ୍ବରଣ କରିଲହେ
କୃଷ୍ଣରୂପେ ଅବତରୀ।
ମାଧୁର୍ଯ୍ୟଲୀଳାରେ ଶ୍ରେଷ୍ଠଲୀଳା ତୁମ
ଗୋପ ବୃନ୍ଦାବନେ ସ୍ଥିତ
ପ୍ରକଟିତ ରୂପ ପ୍ରେମର ଶାଶ୍ଵତ
ଗୋପୀ ଗୋପାଳ ସମେତ।
କାମନାତୀତ, ଇନ୍ଦ୍ରିୟାତିତ ପ୍ରେମ
ନିଃସର୍ତ୍ତ,ନିଷ୍କାମ ଭାବ
ଅନୁଭବ୍ୟ ସାପେକ୍ଷ କେବଳ ଯାହା
ଅମୃତମୟ ସ୍ଵଭାବ।
ଗୋପିଙ୍କର ସ୍ଵଚ୍ଛ ହୃଦୟର ତୁମେ
ଐକାନ୍ତିକ ଯେ ସମ୍ବଳ
ଗଭୀରତମ ପ୍ରଦେଶରୁ ନିର୍ଗତ
ପ୍ରକାଶିତ ଅନର୍ଗଳ।
ଆଲ୍ଲାଦିତ ଭାବେ ପ୍ରକାଶିତ ହୁଏ
ପ୍ରେମର ଅମୃତ ଧ୍ଵନୀ
ଭକ୍ତିରସ ରୂପେ ରୂପାନ୍ତରିତ ସେ
ପରାଭକ୍ତି ସ୍ରୋତସ୍ବିନୀ।
ପୂର୍ଣ୍ଣ ଶୁଦ୍ଧ, ଶ୍ରଦ୍ଧାଶ୍ରୟୀ ଗୋପାଙ୍ଗନା
କରି ଆତ୍ମା ନିବେଦନ
ଶାନ୍ତି ଓ ଆନନ୍ଦ ପ୍ରାପ୍ତ କରୁଥିଲେ
ପ୍ରେମେଣ ହୋଇ ତର୍ଲିନ।
ଚିତ୍ରପଟ୍ଟ, ବଂଶିଶ୍ୱନ ଓ ଶ୍ରବଣେ
ଗୋପି ଅସ୍ମିତା ବିସ୍ମୟେ
ଶୁଦ୍ଧ ଓ ଶାଶ୍ଵତ ପ୍ରେମର ସ୍ଫୁରୁତ
ମାଧୁର୍ଯ୍ୟ ଲୀଳାର କାୟେ।
ଅତିନ୍ଦ୍ରିୟ ଚେତନାର ଯେ ସ୍ଫୁରୀତ
ଆକର୍ଷିତ ବଂଶିଶ୍ୱନେ
ଶ୍ରୀକୃଷ୍ଣ ପ୍ରେମରେ ଅବଗାହନ ସେ
ଏକତ୍ରିତ ଗୋପିମାନେ।
ଜୀବାତ୍ମା ଓ ପରମାତ୍ମା ମିଳନର
ଶୀର୍ଷତମ ଅଭିବ୍ୟକ୍ତି
ରାସଲୀଳାରେ ଯେ ସଂଗଠିତ ରୂପ
ପ୍ରକାଶିତ କୃଷ୍ଣଭକ୍ତି।
ଝୁରୁଛି ଯମୁନା ଝୁରୁଛି କଦମ୍ବ
ଝୁରେବସି କୁଞ୍ଜବନ
ଗୋପଗୋପାଳୁଣୀ ବିରହେ ଝୁରନ୍ତି
ଝୁରୁଛି ଯେ ବୃନ୍ଦାବନ।
ଆଲ୍ଲାଦିନୀ ଶକ୍ତି ଶ୍ରୀରାଧା ପ୍ରେୟସୀ
କୃଷ୍ଣ ପରମ ପୁରୁଷ
ନିତ୍ୟରାସ ରସେ ମଜ୍ଜିତ କୁଞ୍ଜରେ
ଏକ ପ୍ରକୃତି ପୁରୁଷ।
ତତ୍ତ୍ଵ କାଞ୍ଚନବର୍ଣ୍ଣା ପ୍ରେମରୂପା ଯେ
ଆନନ୍ଦର ସ୍ୱରୁପିଣୀ
ଶ୍ରୀ ଅଙ୍ଗଯୁକ୍ତ ହୋଇଯେ ନିତ୍ୟଲିଳା
କରୁଥିଲେ ରାଧାରାଣୀ।
ରାଧା ଓ ଶ୍ରୀକୃଷ୍ଣ ଅଭିନ୍ନ ନଥିଲେ
ଐଚ୍ଛେସଦା ଐକାନ୍ତିକ
ଝୁରେ କୃଷ୍ଣଚୂଡ଼ା କୁଞ୍ଜର ପୁଲକ
ଯଶୋଦା,ଗୋପ ବାଳକ।
କଦମ୍ବ,ମାଳତୀ କୁଞ୍ଜରେ ଚନ୍ଦନ
ଆଉ ସତେ ବାସୁନାହିଁ
ଲୋତକ ଆଖିରେ ଯମୁନା ଝୁରୁଛି
ତୁମରି ବାଟକୁ ଚାହିଁ।
ଲଳିତା,ବିଶାଖା ପ୍ରେମମୟୀ ମୀରା
କାନନ,ବନ,ପ୍ରାନ୍ତର
ସଭିଏଁ ଝୁରନ୍ତି କାହ୍ନୂପାଇଁ ଆଜି
କାହ୍ନୁକୁ କରି ନିଜର।
ରାଧାକୃଷ୍ଣ ମିଳିତ ତନୁରେ ଗଢା
ଜଗନ୍ନାଥ ନାମ ଧରି
ଆଡ଼ପ ମଣ୍ଡପେ ରାସଲୀଳା କର
ସାତଦିନ ଯାତ୍ରାକରି।
କଥାଦେଇ ତୁମେ ଆସିଲଯେ ଚାଲି
ଫେରିନ ବୃନ୍ଦାବନକୁ
ରାଧାଯୁକ୍ତ ହୋଇ ରାଧାପ୍ରେମେ ବାଇ
ଧରି ଦାରୁ ମୂରତିକୁ।