ଝରି ପଡୁ ଥିବା ବେଳେ
ଝରି ପଡୁ ଥିବା ବେଳେ
ଗୋଲାପ ଫୁଲକୁ ପଚାରେ ପାଖୁଡା
ଝରି ପଡୁ ଥିବା ବେଳେ
ଜନନୀ ଗୋ ମୋର ଛାଡି ଦେଲୁ କାଇଁ
ଧରିଲୁନି ମୋତେ କୋଳେ ।
ଆଦର ରେ ମାଆ ଦେଲା ତା ଉତ୍ତର
ନାହିଁ ଧନ ଆଉ ବେଳ
ଫୁଟି ମହକିଲୁ ବାସନା ବାଣ୍ଟିଲୁ
ଏଇ ତୋ ଭାଗ୍ୟ ର ଖେଳ ।
ବରଷା ବିନ୍ଦୁଟେ ପଚାରେ ମେଘ କୁ
ଝରି ପଡୁ ଥିବା ବେଳେ
ଜଠ ରେ ନରଖି ମୁକ୍ତ କଲୁ କିଆଁ
ପଡିବା ପାଇଁ କି ତଳେ ।
ବୁଝାଇ କହିଲା ମାଆ ତାର ତାକୁ
ଜନ୍ମ ତୋ ସଂସାର ପାଇଁ
ଜୀବ କୁ ଜୀବନ କରିବୁ ତୁ ଦାନ
ଧରଣୀ ରହିଛି ଚାହିଁ ।
ଲୁହ ଦୁଇ ଧାର ପଚାରେ ଆଖି କୁ
ଝରି ପଡୁ ଥିବା ବେଳେ
କାଇଁ ସୃଷ୍ଟି ହେଲୁ ପୁଣି ଝରି ଗଲୁ
କେଉଁ କର୍ମ ଦୋଷ ବଳେ ।
ଉତ୍ତର ଦେଲା ଯେ ଆଖି ଲୋତକ କୁ
ଭାଵ ପ୍ରବଣ ରୁ ଜାତ
ହୃଦୟ ବୋଝ କୁ ହ୍ରାସ କରିବାକୁ
ଝରି ଯାଅ ତୁମେ ମିତ ।
ଶୁଖିଲା ପତର ଝରି ଯାଇ ଥାଏ
ସବୁଜ ପତର ପାଇଁ
ଝରେ ଦେଶ ହିତେ ସୀମାନ୍ତେ ଯବାନ
ବଇରୀ ର ଗୁଳି ଖାଇ ।
ଜନମ ହୋଇଛ ତୁମେ ଏ ଧରା ରେ
ଧର୍ମ ପର ଉପକାର
ନିଜ ସୁଖ ତେଜି ପର ଦୁଃଖ ହେଜି
ଜନ୍ମକୁ ସାର୍ଥକ କର
ତୁମେ ଜନ୍ମକୁ ସାର୍ଥକ କର....।।