ଝରେ ଉଷୁମ ଲୋତକ
ଝରେ ଉଷୁମ ଲୋତକ
ଆହାରେ ମନ୍ଦ ଦଇବ କେତେ ଛନ୍ଦ ତୋର
ଜୀବନ ଆକାଶୁ ଜହ୍ନ ମେଘ ଉହାଡରେ
ଘୋଡାଇ ଅନ୍ଧାର ରଚି ଜୀବନେ ମୋହର
ଭସାଇ ଦେଲୁ ରେ ମୋତେ ଶୋକ ସାଗରରେ ।।
ଜୀବନସାରା ଝରଇ ଉଷୁମ ଲୋତକ
ଝରଣା ଝରଇ ସେହି ଲୋତକର ଧାରେ
ଅସରା ଜୀବନେ ରଚି କି ଦାରୁଣ ଦୁଃଖ
ମାୟା ଜାଲେ ଛନ୍ଦି କଲୁ ନିରେଖ ସଂସାରେ ।।
ହୃଦୟ ସରସୀ ଜଳେ ସୁବର୍ଣ୍ଣ ପୁଷ୍କର
ଫୁଟାଇ ଅନନ୍ତ ପ୍ରେମ ରଚିଲୁ ନିକରେ
ଅକାଳେ କିଆଁ ସହସା ବରଷି ଶୀଶିର
ଜାଳିପୋଡି ଦେଲୁ ମନ୍ଦବିହି କି ପ୍ରକାରେ ।।
ଆଖି ଥାଉ ଥାଉ ଅନ୍ଧ କରିଦେଇ ମୋତେ
କିଯଶ ଲଭିଲୁ ମନ୍ଦ ଦଇବ ସଂସାରେ
ଦେଇ ଦେଇଗଲୁ ଦୁଃଖ ମୋମୁଣ୍ଡେ ପର୍ବତେ
ଆଜି ଏ ଜୀବନ ସୂର୍ଯ୍ୟ ଡୁବେ ଅସ୍ତାଚଳେ ।।
ପଥର ହୋଇଛି ଦେହ କାଷ୍ଠ “ମୁଖ ବହି
ବଞ୍ଚିଛି ଧିକ ଜୀବନ ମୋର “ଦୁନିଆଁରେ
ଅଲାଜୁକ ପଣେ ସିନା” କାହିଁ ଶାନ୍ତି କାହିଁ
ସୁଖ ସଉଧ ଡୁବିଛି ଅଥଳ ସାଗରେ ।।