ଝିଅ
ଝିଅ
ସନ୍ତର୍ପଣରେ ସନ୍ତାପି ହେଉଛି ପ୍ରାଣ
କହିପାରୁ ନାହିଁ ସେ ସହିପାରୁ ନାହିଁ
କେମିତି କରିବ ଜଣକୁ ସାତପର
ପୁଣି ଆଉ ଜଣକୁ ଅତି ଆପଣାର
ସେଥି ପାଇଁ ସେ ଖାଇଛି ରାଣ
ଭୁଲିଯିବ ସବୁ ପଛକଥା ମାନ
ଅଭିମାନ କରି ଲଢିବ ନିୟତି ସଙ୍ଗେ
ଭାଗ୍ଯ ଆକାଶକୁ ଭରିବ ନାନା ରଙ୍ଗେ
ପ୍ରେମ ପ୍ରଣୟର ଚକ୍ରବ୍ୟୁହ ଭେଦ କରି
ପ୍ରୀତି ଫଲ୍ଗୁର ଯତୁଗୃହ ଗଢିବ ସୁକୁମାରୀ
ଶାଶୁ, ଶଶୁର, ନଣନ୍ଦ, ଦିଅର, ଦେଢଶୁର
ସ୍ନେହ ମମତା ବନ୍ଧନେ କରିବ ନିଜର;
ବାପଘର ନଦୀ ପଠା ଆମ୍ବତୋଟା
ଗାଁ ଦାଣ୍ଡ ସବୁକୁ କରିବ ସାତ ପର
ଶାଶୁଘର ବାଡିବଗିଚା ସ୍ନାନାଗାର ହାଣ୍ଡିଶାଳ
ସାଥିହେବେ ଗୀତା ଭାଗବତ ଚଉରା ମୂଳ
ଆଜି ପରା ରାଜକୁମାରୀର ବାହାଘର
ବାପଘର ଛାଡି ଚାଲିଯିବ ଶାଶୁଘର
ବାଜିବ ଆଜି ସାହାନାଇ
ହସିବ ପୋଖରୀ କଇଁ,
ନାଚିବ ଗାଆଁଟା ଯାକ
ଲାଗୁଥିବ ଯାକ ଯମକ,
ବାଣ ରୋଷଣୀରେ କମ୍ପିବ ଗାଁ
ଢୋଲ ଢମକରେ ହସିବ ବାଆ,
ବେଣ୍ଡ ବାଜା ବାରାତିର ପଟୁଆର
ଘୋଡା ଚଢି ଆସିବ ରାଜକୁମାର,
ଝିଅ ଜନମ ପରଘରକୁ ଲୋ
ଦୁଇ କୂଳକୁ କରିବୁ ହିତ
ପାଶୋରି ଦେବୁ ନିଜକୁ ପଛେ
ଛାଡିବୁନି କେବେ ସ୍ବାମୀ ହାତ ।।