ଝଡର ଆବେଗ
ଝଡର ଆବେଗ
ସେମାନେ କହିଲେଣି
ଅଧା ମାଟି କାଳେ ବାନ୍ଝ ହେଲାଣି,
ଆଉ ଅଧାରେ
ଆଧାର ଭରିବ ଉଦର ।।
ସେମାନେ ପୁଣି କହିଲେଣି,
ହୁ ହୁ ପୋକ ପରି ଲକ୍ଷକୋଟି
ଉଦରକୁ ଭରି ପାରିବ ତ ଏତିକି ମାଟି ?
ପାଣି,ଗଛ, ପବନ ପରେ
ପଡିଗଲା କି ଜୁପକାଠି
ମାଆ ମାଟି ବେକରେ ?
ସେମାନେ ପୁଣି ପୁଣି କହିଲେଣି ,
ଚିଲ, ଶାଗୁଣା ନୁହେଁ,
ଶ୍ବାନ କି ଶୃଗାଳ ପାଲଟିବେ ମଣିଷ
ମଝିରେ ରଖି ଖଣ୍ଡେ ରୁଟି।।
ମୁଠେ ଚାଉଳର ହାତ ପାଇଁ,
ଲମ୍ବିବ ସହସ୍ର ହାତ ।।
ଶେଷକୁ ଉଲ୍କା ଖସିବ,
ଚିରି ହେଇଯିବ ଆକାଶ
ଏକ ଝରର ଆବେଗରେ ଯାହା ନାଁ ଥିବ
" ଭୋକ " ।।
ସାରା ରାତିର ଅନ୍ଧାର,
ଦିଗକୁ ଏତେ ଗାଢ କରିଦେବ ଯେ ,
ସୂର୍ଯ୍ୟ ଭୁଲିଯିବେ ବାଟ ।।
ଏମିତି ଏମିତି ରେ କଟୁଥିବ ଗୀତ,
ଛୁଟୁଥିବ ଛାତି ତଳର ମୁକ୍ତି
କିଏ ଭଲା ଖୋଜିବ ସେ ଶବ୍ଦ ସବୁକୁ
କଙ୍କାଳିଆ ଓଲଟ ପେଟ ନେଇ ?
ବୋଧହୁଏ ଲିଭିଥିବା ଦିପ ସବୁର
ଶେଷ କଳାବୋଳା ଦାଗ
ହବ ଚନ୍ଦ୍ରବିନ୍ଦୁ ।।
ଜହ୍ନ ମାମୁଁ ଆଉ କାଇଁ ଉଇଁବ ଯେ ?
ଯଦି ନ ଥିବ ମାଆ କୋଳରେ ଶିଶୁ ?
ଝୁଣିଝୁଣି ନିଜେ ନିଜକୁ ଶ୍ବାପଦ ପରି ଦିଶୁଥିବେ ଜନେ,
କୁହ ହେ ! ଏବେର ମଣିଷ ଏ ଛବି କି ମନ ଜିଣେ ?