ଜଗନ୍ନାଥ ଜଣାଣ
ଜଗନ୍ନାଥ ଜଣାଣ
ଜୟ ଜୟ ଜଗନ୍ନାଥ, ଜଗତ ଜନ ବନ୍ଦିତ
ଜୟ ହେ ଜଗବନ୍ଦନ।
ଶ୍ରୀ ନୀଳକନ୍ଦରେ ହରି,ଚତୁର୍ଦ୍ଧା ମୂରତି ଧରି
ରତ୍ନ ସିଂହାସନପରେ, ଅଛ ପ୍ରଭୁ ବିଜେକରି।
ବସି ବଡ଼ ଦେଉଳେ, ଭାଇ ଭଉଣୀ ମେଳେ
କଳପ ବଟ ମୂଳେ,ମହୋଦଧିର କୂଳେ
ଆହା କି ଶୋଭାବନ ଆହା କି ଶୋଭାବାନ
ଲାବଣ୍ୟ ରୂପ ମାଧୁରୀ ।
ପତିତପାବନ ବାନା, ନୀଳଚକ୍ରେ ଉଡେ଼ ଅନା
ପତିତଜନ ତାରଣେ, ତୁଟଇ ଭବ ଯାତନା ।
ଉଡ଼ଇ ଫର ଫର, ନୀଳଚକ୍ର ଉପର
ଦିଶେ କି ମନୋହର,ମନମୋହେ ଜନର।
ଚାହିଁଲା ମାତ୍ରେ ଦୁଃଖ ଚାହିଁଲା ମାତ୍ରେ ଦୁଃଖ
ଯାତନା ହୁଏ ଖଣ୍ଡନ ।
ଷାଠିଏ ପଉଟି ଖାଇ, ବସିଛ ମଉନ ହୋଇ
ଖାଇଣ ଛପନଭୋଗ,ଶେଷେ ପୋଡପିଠା ଖାଇ।
ନିତି ସେବାରେ ରତ, ଛତିଶା ନିୟୋଗତ
ଆବର କେତେ ଭକ୍ତ, ସଦା ସେବୀ ନିରତ
ଏ କି ବିଚିତ୍ର ଲୀଳା, ଏ କି ବିଚିତ୍ର ଲୀଳା
ନିତି ତୁମର ଭିଆଣ ।
ହେ ପ୍ରଭୁ ଚକାନୟନ, କାଳିଆ କଳା ବଦନ
ଭାବ ବିନୋଦିଆ ହରି, ଭକତ ଜନ ରଞ୍ଜନ
ଏ ଦୀନ ଘନଶ୍ୟାମ, ବାରେ ମିନତି ଘେନ
କରୁଣା କର ବାରେ, ଏତିକି ନିବେଦନ
ତବ ପଦ୍ମ ପୟରେ, ତବ ପଦ୍ମ ପୟରେ
ପଶୁଅଛି ମୁଁ ଶରଣ ।