"ଜାଡ଼ି" ଜୀବନ ଅତି ହୀନିମାନ
"ଜାଡ଼ି" ଜୀବନ ଅତି ହୀନିମାନ
ପୁରୁଣା ଯୁଗରେ ମାଆ କ୍ଷୀର ସବୁ
ଖାଉଥିଲେ ପାଞ୍ଚ, ଛଅ ବରଷ,
ଝିଅଟିଏ ବୋଲି ଏ' ଯୁଗରେ ତାର
ଦାଉ ସାଧିଲା ତା' ତେର ବରଷ ।
ସଞ୍ଜ ଗଡ଼ିଗଲା ମାଆ ପଠେଇଲା
ଓଷଦ ଟିକିଏ ଆଣ ଲୋ ଜାଡି ,
ଓଷଦ କଅଣ ଆଣିବ ଯାଇଛି
ପାଖରେ ନଥିଲା ଫୁଟି କଉଡ଼ି ।
ଭାବିଲା ଟିକିଏ ଆଗରେ ରହିଛି
ମାଉସୀ ଘରକୁ ଯିବ କି ସେହି ?
ସଅଳେ ଆଗକୁ ପାଦ ବଢାଇଲା
ଏପାଖ ସେପାଖ ରାସ୍ତାକୁ ଚାହିଁ ।
ନିଛାଟିଆ ଛକ ଗଳି ମୁଣ୍ଡ ପାଶେ
କେତେ ଗୁଡେ ଲୋକ ଆସିଲେ ମାଡ଼ି ,
ମୁହଁ ନାକ ତାର ଚିପି ଧରି ନେଲେ
ଗାଡିରେ ବସେଇ ନେଲେ ଯେ ଭିଡ଼ି ।
ଝୁଣି ଦେଇଗଲେ ଶରୀର ତାହାର
ପିଙ୍ଗିଦେଲେ ଆଣି ସଡ଼କ କଡ଼େ ,
ସେଦିନ ଦୁର୍ଦ୍ଦଶା ଦେଖି ତାର ମାଆ
ମୁଣ୍ଡ ପିଟି କାନ୍ଦି ତଳେ ସେ' ଗଡ଼େ ।
ଗରିବ ଝିଅକୁ ଭଗବାନ ସାହା
ଏ ' କଥା ସଭିଏଁ ଜାଣନ୍ତି ସତ ,
କିନ୍ତୁ ତାର ଏଇ ଅଦିନ ଦୁର୍ଦ୍ଦଶା
ଦେଖି ହସୁଛନ୍ତି ସାଥୀ ସଙ୍ଗାତ ।
ସେଦିନ କିଏ ସେ କଲା ଅନ୍ତଃସତ୍ତ୍ୱା
ଆଜି ଭୋଗୁଛି ସେ' ତାହାରି ଫଳ ,
ଚଉଦ ବର୍ଷରେ ମାଆ ହେଲା ସିଏ
ତା' ପାଇଁ ହୋଇଛି ସନ୍ତାନ କାଳ ।
କ୍ଷୀର ପାଏ ନାହିଁ ସନ୍ତାନ ତାହାର
ଶକ୍ତି ଆଉ ନାହିଁ ଚାଲିବା ପାଇଁ ,
ମୂମୂର୍ଷୁ ମା' ତାର ବିଛଣା ଧରିଛି
ରକ୍ଷାକର ତାକୁ ଆହେ ଗୋସାଇଁ ।