ଇସ୍
ଇସ୍
ଇସ୍ ...କଣ ହେଇଛ ମ !
ସ୍ ର ଝଙ୍କାର
ତୁମ ଓଠରୁ ସରୁ ନ ସରୁଣୁ
ଏଣେ ଲାଜରେ ପାଚି ଗର ଗର
ହୋଇଯାଏ ମୁଁ
ଭାବି ବସେ
ଇସ୍
ମିସ୍
ଆଉ କିସ୍ ପରି ଶବ୍ଦ
କେତୋଟି ନ ଥିଲେ
ସତରେ ପ୍ରେମକୁ ବୁଝିବାକୁ
ଆଉ ବୁଝେଇବାକୁ
କେତେ କଷ୍ଟ ହୋଇ ଥାନ୍ତା !
ତୁମର ମନେ ନାହିଁ ?
"ଇସ୍, ତୁମେ କେତେ ଭଲ"-
ଏତକ କହି କିପରି ସେଦିନ
ୱାଇଲଡ଼ କାର୍ଡ ଦ୍ୱାରା
ମୋ ହୃଦୟ ହଲରେ ପଡିଥିବା
ଗୋଲ ଟେବୁଲକୁ
ସିଧା ସଳଖ ପ୍ରବେଶ ନେଇଥିଲ
ଯେତେବେଳେ ବାହାରେ ଅନ୍ୟ କେତେଜଣ
ସେମିତି ଛିଡା ହୋଇଥିଲେ ।
ଇସ୍, କେତେ ନମ୍ବର ରଖିଛ !"
ମୋ ପରିଶ୍ରମକୁ ସିଧା ପ୍ରଶଂସା ନ କରି
ନମ୍ବର ବାଣ୍ଟିବାରେ
ଭଗବାନଙ୍କ ଏକତରଫା ନ୍ୟାୟକୁ
ଯେମିତି ମୁଗ୍ଧ ହୋଇ
ପ୍ରଶ୍ନ କରି ଥିଲ ସେଦିନ
ରାସ୍ତାରେ ତୁମ ଆଗରେ
ମାଛିକୁ ମ ନ କହିବାର
ମିଥ୍ୟା ଅଭ୍ୟାସ କଲାବେଳେ
ତମେ ମୋ ଆଗରେ
ପରୀକ୍ଷା ମୂଳକ
କେତେ କେତେ ପ୍ରଲୋଭନ ରଖ
"ଇସ୍ , କେଡ଼େ ସୁନ୍ଦର ସେ ଝିଅ"
"ଇସ୍, ସେ ଝିଅର କେତେ ଲମ୍ବା ବାଳ !"
ମୁଁ ବୋକା ନୁହେଁ
ସେ ପ୍ରଲୋଭନରେ ପଡେନା
ଦେଖି ନ ଦେଖିଲା ପରି ହୁଏ
ସତ ତ ଏଇଆ -
ତୁମେ ମୋ ମୁହଁରେ
ଗାନ୍ଧୀ ବୁଦ୍ଧଦେବ ସମାନ ସଂଯମ
ଦେଖିବାକୁ ଚାହଁ ।
ତୁମ ଇସ୍ ଗୋଟିଏ ଇସ୍ପାତ ଛୁରୀ
କାଟିଦିଏ ଆବଶ୍ୟକତାରୁ ଅଧିକ
ବଢି ଯାଇଥିବା ଆତ୍ମ ବଡିମାକୁ
ପଚିଶ କଥାକୁ
ପଦଟିଏରେ କହିବାରେ
ସାମର୍ଥ୍ୟ ଲୁଚିଛି
ତୁମ ଇସ୍ ଟିକକରେ
ମଣିଷକୁ ତା ପରିସୀମା ଭିତରେ
ରଖିବାକୁ ଶିଖାଇଛି
ଏହି ତୁମ ଇସ୍
ଇସ୍
ଅବମାନନା ନୁହେଁ
ମାନି ନେବା ବି ନୁହେଁ
ଇସ୍,
ପ୍ରଶଂସାର ନୁହେଁ
କଳଙ୍କର ବି ନୁହେଁ
ଇସ୍
ଦୁଇ ଅକ୍ଷରର ମନ୍ତ୍ର
ଏ ଧରାରେ
ନର ଭଗବାନଙ୍କ ସ୍ତୁତି ଗାନ ପାଇଁ
ଯେତେବେଳେ ତୁମେ ଆଙ୍ଗୁଳିରେ
ମୁଣ୍ଡ ସାଉଁଳେଇ
ନିଦକୁ ଆମନ୍ତ୍ରଣ ଦିଅ
ଆଙ୍ଗୁଳି ସ୍ପର୍ଶରେ ଅନୁଭବ କରେ
ସବୁ ସୁଖଶିରୀ ପ୍ରେମ ବନ୍ଧନର
ଆଉ ମୋ ଚେତନା ବୋଇତ
ପାଲ ମେଲି
ଭାସି ଚାଲେ
ନିଦ ସାଗର ଆଡେ
ମୁଁ ଗହନ ତନ୍ଦ୍ରାରେ ଶୁଣେ
ତୁମ ମିଠା ଅଳି ଅର୍ଦ୍ଦଳି
ଥରେ ଦୁଇଥର
ମତେ ହଲେଇ ଦେଇ
ନିଦରୁ ପୁଣି ଉଠେଇବାକୁ
କେତେ ଯତ୍ନ କର
ନଇଁ ପଡି କାନରେ କୁହ
"ଶୋଇବାକୁ ଦେବିନି ତୁମକୁ ଆଜି"
କୋଳରୁ ମୋ ମୁଣ୍ଡକୁ ଉଠାଇ
ଧୀରେ ତକିଆରେ ରଖୁ ରଖୁ
କଣ କଣ କହିଯାଅ ଯେ
କିଛି ଶୁଣେ
କିଛି ଶୁଣେନା
ସବୁଥର ପରି କହିଦିଏ
"ଥାଉ କାଲିକି "
ଏକାଥରକେ ମୁହଁରେ ମୋ
କେତେ ଖୁନ୍ଦି ମାରି କୁହ
"ଇସ୍ ସ୍ ସ୍ .....
କେଡ଼େ ସ୍ୱାର୍ଥପର ତମେ !"