ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ଇନ୍ଦ୍ରଧନୁ ମୁଁ ଯେ
କରିଛି ପ୍ରତୀକ୍ଷା
କେବେ ଆସିବ ବରଷା ,
ଆଶା ଶତଦଳ
ଫୁଟିଛି ମୋ ମନେ
ଆଖିରେ ଆଖିଏ ନିଶା।
ଗଢିଛି ମୁଁ କେତେ
ଆଶାର ସଉଧ
ଖେଳିବାକୁ ମନଭରି ,
ବୋଳିବାକୁ ରଙ୍ଗ
ଦିଗାଙ୍ଗନା ଅଙ୍ଗେ
ମାରି ରଙ୍ଗ ପିଚକାରୀ।
ଚାତକ ପରାୟେ
ରହିଛି ମୁଁ ଚାହିଁ
ମୟୂରୀ ନାଚିବ ବନେ ,
ଆକାଶର ତନୁ
କରି ସୁଶୋଭନ
ଚପଳା ଖେଳିବ ଘନେ।
ଶିରି ଶିରି ଛୁଇଁ
ଉଲ୍ଲସାଇ ମନ
ବହିବ ଶୀତ ସମୀର ,
ତା କର ପରଶେ
ମୋର ମନବୀଣା
ଗାଇବ ମେଘମହ୍ଲାର।
ବରଷାରେ ଭିଜି
ଆସିବେ ସୂରୁଜ
ଶୁଣିବାକୁ ସେହି ସ୍ଵନ ,
ସାତରଙ୍ଗ ପୁଷ୍ପେ
ଶୋଭିତ ମାଳାରେ
କରିବି ମୁଁ ଆବାହନ।
ଶକ୍ରଚାପ ଯେଣୁ
ବରଷା ବିହୁନେ
ନାହିଁ ମୋର ଅନ୍ୟ ଗତି ,
ଆତ୍ମା ବିନା ଦେହ
ପରାୟେ ହୋଇଛି
ବର୍ଷା ବିନା ମୋର ସ୍ଥିତି।
ବର୍ଷା ମୋ ଜୀବନ
ବର୍ଷା ମୋ ସପନ
ତା ଆଶାରେ କାଟେ ଦିନ ,
ଆଶାରେ ମଣିଷ
ବଞ୍ଚେ ଯେଉଁପରି
ଦେଖି ସୁନେଲି ସପନ।
ଧ୍ରୁବ ଏ ବଚନ
ଆଜି ଅବା କାଲି
ବରଷା ହେବ ଧରାରେ ,
ନିଦାଘ ମେଲାଣି
ନେଇଗଲା ପରେ
ବରଷା କି ରହେ ଦୂରେ ?