ଇଚ୍ଛା ହୁଏ
ଇଚ୍ଛା ହୁଏ
ବେଳେବେଳେ ବୟସର
ଚାଦରଟି ଫିଙ୍ଗି ଦେଇ ;
ଅମାନିଆ ଚଗଲା ମନ କୁହେ
ପିଲାଟିଏ ହୋଇଯିବା ପାଇଁ।
ଦୁଷ୍ଟାମୀ କରିବାକୁ ,
କଙ୍କି ପଛେ ଧାଇଁବାକୁ,
ଖେଳିଖେଳି ହାତ ଗୋଡ଼ ଭାଙ୍ଗିବାକୁ,
ଆମ୍ବ ଝର, କଇଆଁ ପଣା କରି
ସାଙ୍ଗମେଳେ ଖରାବେଳ କାଟିବାକୁ;
ଦୁଷ୍ଟ ହୋଇ ବାପାଙ୍କ ଆଗେ
କାନ ମୋଡା ଖାଇବାକୁ।
ମା' କୋଳେ ମୁହଁ ଗୁଞ୍ଜି
ଜହ୍ନ ତାରା ଗଣିବାକୁ;
ଭାଇ ଭଉଣୀ ସାଥେ
ମାଡ଼ଗୋଳ ହୋଇ
ଆଗୁଆ ଜେଜେମା ପାଖେ ଫେରାଦ ହେବାକୁ
ସ୍କୁଲ ବସ୍ତାନି ଫୋପାଡ଼ି
ଭଗନ ପୋଖରୀରେ ବୁଡିବାକୁ
କଇଁ ବେଣ୍ଟ ତୋଳିବାକୁ।
ବେଳେବେଳେ ଇଚ୍ଛା ହୁଏ
ନୂଆ ନୂଆ ପ୍ରେମର
ପୀଡା ଭୋଗିବାକୁ;
ଆଖି ଭାଷା ପଢିଦେଇ
ମନ କଥା ଜାଣିବାକୁ;
ସ୍ୱପ୍ନର ଉଡାଣ ଭରି
ଆକାଶକୁ ଛୁଇଁବାକୁ
ମାଟିରେ ନନ୍ଦନକାନନ ତୋଳିବାକୁ
ସବୁଜ ସ୍ୱପ୍ନରେ
ଛାତିକୁ ବଗିଚା କରିବାକୁ।