ହୁଅ ମାଆ ଜାଗ୍ରତ
ହୁଅ ମାଆ ଜାଗ୍ରତ
ମଣ୍ଡପେ ମୃଣ୍ମୟୀ ଦେବୀ ତୁ ହସୁଛୁ ପ୍ରତିବର୍ଷ ପାର୍ବଣରେ
ସଭିଏଁ ସ୍ୱାଗତ କରୁଛୁ ଜନନୀ ବିଶ୍ୱାସ ଓ ଭରସାରେ ।
ହରିବୁ ସଙ୍କଟ ଭରିବୁ ନିର୍ଭୟ ଚରାଚର ସଂସାରରେ
ମହିଷ ସମାନ ଅସୁର ନିଶ୍ଚିହ୍ନ ହୋଇଯିବେ ଜଗତରେ ।
ନିର୍ଜୀବ ସାଜିଛୁ ବିଦାୟ ନେଉଛୁ ପୂଜା ଅରଚନା ପାଇ
ରକ୍ତ ମାଂସ ଧାରୀ ଦେବୀ ପାଏ ଦଣ୍ଡ ବିନା ଦୋଷେ ବନ୍ଦୀ ହୋଇ ।
ରାକ୍ଷସ ଅନେକ ନିର୍ଦ୍ୱନ୍ଦେ ଭ୍ରମନ୍ତି କାମ ବାସନାରେ ମଜ୍ଜି
ପାଏନା ମୁକତି ନିଃଷ୍ପାପ ମୁରତି ଦେବୀଟିଏ କାହିଁ ସାଜି ।।
ଦଶଭୁଜ ତୋର ଦାନବ ନାଶିଛି ଏଠି ଦେବୀ ଅସ୍ତ୍ରଶୂନ୍ୟ
ମନେ ଠୁଳ ଶକ୍ତି ସାହାର ହୁଏନି ଯନ୍ତ୍ରଣା ଭୋଗେ ଜୀବନ ।
ତୋ ଆଶିଷ ରାଶି ହୋଇଛି କି ଶେଷ ଗଭୀର ନିଦ୍ରାରେ ଶୋଇ
କେମିତି ସହୁଛୁ ଅତ୍ୟାଚାର ମାଆ ଡାକ କର୍ଣ୍ଣେ ଶୁଭୁ ନାହିଁ ।।
ହୁଅ ମା' ଜାଗ୍ରତ ଆଶିଷ ଅମୃତ ଭରିଦିଅ ଅଦୃଶ୍ୟରେ
ଅନ୍ୟାୟ ଅକୀର୍ତ୍ତି ବେଦନା ବିଦାରି ଧରା ହସୁ ଆନନ୍ଦରେ ।।