ହସ_____
ହସ_____
ଓଠଧାରେ ହସ ଶୋଭାପାଏ ଯେବେ
ଅନ୍ତରୁ ସେ ହସ ଝରେ।
ଅନ୍ତର ହସିଲେ ସାରା ତନୁ ମନ
ଭରିଯାଏ ପୁଲକରେ।
ହେଉ ସେ ନିଦାଘ ହେଉ ଅବା ବର୍ଷା
ହେଉ ଅବା ଶୀତ ମାସ।
ସବୁଦିନ ଲାଗେ ବସନ୍ତ ସମୟ
ଅନ୍ତରୁ ଝରିଲେ ହସ।
ଅନ୍ତର ଭିତରୁ ହସ ଝରୁଥିଲେ
ଦୁନିଆଟା ହସୁଥାଏ।
ମନ ଅଗଣାଟା ଚମ୍ପା କନିଅର
ଫୁଲରେ ମହକୁଥାଏ।
ମନଟା ଲାଗଇ ଫୁଲଠୁ ହାଲୁକା
ଅନ୍ତରଟା ହସୁଥିଲେ।
ମନର କପୋତ ଡେଣା ହଲାଇଣ
ମୁକ୍ତାକାଶେ ଉଡ଼ିବୁଲେ।
ମନ କୁଞ୍ଜବନେ ରହି ରହି ଶୁଭେ
କୋଇଲିର କୁହୁ କୁହୁ।
ହସଟା ଲାଗଇ ଫୁଲର ପସରା
କଥାରୁ ଝରଇ ମହୁ।
ମନ ଝରଣାଟା କୁଳୁକୁଳୁ ନାଦେ
ବହି ବହି ଯାଉଥାଏ।
ମନର ବୀଣାରେ ପ୍ରେମର ରାଗିଣୀ
ରହି ରହି ବାଜୁଥାଏ।
ସେହି ହସ ଥିଲେ ଜୀବନ- ତରଣୀ
ବାହିବା ହୁଏ ସହଜ।
ସବୁ କାମ ହୁଏ ସରସ ସୁନ୍ଦର
ଜୀବନ ଲାଗେନା ବୋଝ।
ସେ ହସେ ନଥାଏ ହିଂସା ଦ୍ୱେଷ ଭାବ
ଅହଙ୍କାର ଶିଶୁ ପରି।
କୋଟି ହୀରା ନୀଳା ମଣି ଓ ମାଣିକ
ତା ସାଥେ ନୁହନ୍ତି ସରି।
ଧନରତ୍ନ ଆଉ ପ୍ରାଚୁର୍ଯ୍ୟ ବିଭବ
ତା ପାଇଁକି ଲୋଡ଼ା ନାହିଁ।
ସରଳ ଓ ଶୁଦ୍ଧ ମନଟିଏ ଲୋଡ଼ା
ସେ ହସ ହସିବା ପାଇଁ।
ଜଗତେ ପ୍ରକୃତ ଧନୀ ସେହି ଲୋକ
ଯା ପାଖେ ଅଛି ସେ ହସ।
ସେ ହସେ ଜଗତଜନ ମନ ଜିଣି
ଲଭେ ସେ ପ୍ରଭୁ ଆଶିଷ।