ହଁ ମୁଁ କରିବି
ହଁ ମୁଁ କରିବି


ହଁ ମୁଁ କରିବି ସାବିତ୍ରୀ ଓଷା
ସତ୍ୟବାନ ତୁମେ ମୋର,
ହଁ ମୁଁ ବି କରିବି ଉପବାସ
ତୁମ ପାଇଁ ପ୍ରିୟ ମୋର।
କରିବି କାମନା ଈଶ୍ୱର ପାଶେ
ତୁମର ଲମ୍ବା ଆୟୁଷ ,
ସାବିତ୍ରୀ ହେଇ କରିବି ରକ୍ଷା
ସବୁ ବିଘ୍ନ କରି ନାଶ।
କରିବି ମୁଁ ତୁମ ପାଦପୂଜା
ପାଦୋଦକ ଦେବି ତୁଣ୍ଡେ,
ହୃଦେ ଆଙ୍କି ସଦା ତୁମ ଛବି
ପାଦରଜ ନେବି ମୁଣ୍ଡେ।
ସାଥୀ ହୋଇ ଚାଲୁଥିବି ସଦା
ପାଦରେ ମିଶେଇ ପାଦ,
ସୁଖଦୁଃଖ ବାଣ୍ଟି ନେବି ସବୁ
ନ ରଖି ମନରେ ଛନ୍ଦ।
ମାଗିବିନି ଦାମି ଉପହାର
ଦାମି ଶାଢ଼ୀ ଅବା ଚୁଡ଼ି,
ପେଜ ତୋରାଣିରେ ଚଳିଯିବି
ପିନ୍ଧି ଖଣ୍ଡେ କସ୍ତା ଶାଢ଼ୀ।
ଛଡ଼ାଇ ନେବିନି ସ୍ବାମୀ ଅଧିକାର
କରୁଥିବି କର୍ତ୍ତବ୍ୟ ସ୍ତ୍ରୀର,
ଆଖି ବୁଜି କରେ ଯେ ବିଶ୍ୱାସ
ଭାଙ୍ଗିବନି ବିଶ୍ୱାସକୁ ମୋର।
ହଁ ମୁଁ ରହିବି ପତିବ୍ରତା
ହେଇ ତୁମ ଧର୍ମପତ୍ନୀ,
ତୁମେ ବି କଥା ଦିଅ ମତେ
ପାଳୁଥିବ ବ୍ରତ ଏକପତ୍ନୀ।।