ହଁ, ମୁଁ ଜୀଇଁଛି
ହଁ, ମୁଁ ଜୀଇଁଛି
ଭାବି ନେଇଛ କି?
ମନେ ମନେ ତୁମେ
ହଜିଗଲି କାଳେ ମୁହିଁ
କାଳର କରାଳ ପ୍ରବାହରେ
ଇତିହାସର ଅଥଳ ଗର୍ଭରେ
ଅଫେରା ନଈର ଉଜାଣି ସୁଅରେ
ତିଳେ ବି ଅମୂଳକ ନୁହେଁ ତ
ମନର ଭାବନା ତୁମ୍ଭର
କିଏ ଅବା ସତେ ଜୀଇଁବ
ଧରି ଆପଣା ପରାଣ
ତୁମ୍ଭ ନିଠୁର ପ୍ରତାରଣାର ଚୋରାବାଲିରେ
ତୁମ୍ଭ ଚରମ ଉପେକ୍ଷାର ଦୁଃସହ୍ଯ ଦାବାନଳରେ
ତୁମ୍ଭ ଲାଞ୍ଛନା ତାଡ଼ନା ପ୍ରତାଡ଼ନାର ଡହକରେ
ହଁ ହଁ ହଁ
ମୁଁ ଆଜିବି ଜୀଇଁଛି ଏଇ ମହୀରେ
ସହିବି ସମସ୍ତ ଯାତନା କଷଣ
ଏଇ ମୋର କ୍ଷୁଦ୍ର ଜୀବନର
ଏକାନ୍ତେ ଅଜ୍ଞାତବାସରେ ନିର୍ଜନ ଦ୍ବୀପରେ
ଦୂର ଦେଶେ ଆତ୍ମ ନିର୍ବାସନରେ
ଜୀଇଁଛି ମୁଁ କ୍ଷଣ କ୍ଷଣ ଅନାସକ୍ତ ଭାବ ବହି
ତୁମ୍ଭ ପ୍ରଚାର ପ୍ରସାର ଲୌକିକ ଲୋକାଚାରର
ଝକମକ୍ ମାୟାବୀ ଆଲୁଅଠୁ ବହୁ ଦୂରେ
ଯଦ୍ୟପି ନୀରବି ଯାଇଛି ମୋର ଶାଣିତ ସ୍ବର
ବଦଳି ଯାଇଛି ପରିଭାଷା ଜୀଇଁବାର
ନିରବିଚ୍ଛିନ୍ନ ଶୋଷଣ ପ୍ରତାଡ଼ନାର ପ୍ରହାରରେ
ତଥାପି ରହିଛି ଜୀଇଁ ସ୍ବଦେହରେ ଏଇ ମହୀରେ
ନୂତନ ସୂର୍ଯ୍ୟୋଦୟର ଦୁର୍ବାର ଆଶାରେ ।