ହାତୀମୁହାଁ ଜଗବନ୍ଧୁ
ହାତୀମୁହାଁ ଜଗବନ୍ଧୁ
ଜଗତ ବାନ୍ଧବ ଯେଣୁ ନାମ ଜଗବନ୍ଧୁ
ଭଗତ ବିକଳ ଦେଖି ଭାବବହି କାନ୍ଦୁ l
ଭକ୍ତ ଚିନ୍ତାମଣି ପ୍ରଭୋ ଜଗତର ଗୁରୁ
ଭକ୍ତବାଞ୍ଛା ପୂର୍ଣ୍ଣକାରୀ ବାଞ୍ଛା କଳ୍ପତରୁ l
ଭକ୍ତ ଜନେ ଶ୍ରଦ୍ଧା ବହି ବହୁ ଲୀଳା କରି
ଧେନୁଙ୍କ ପାଶ୍ଚାତେ ଯଥା ଗମନ୍ତି ବାଛୁରୀ l
ଶ୍ରୀକ୍ଷେତ୍ର ଆସିଲା ଦିନେ ଗଣପତି ଭଟ୍ଟ
ବହୁ ଦୂର ପଥଶ୍ରମେ ଦେଶ ତା କର୍ଣ୍ଣାଟ l
ଗାଣପତ୍ୟ ସେହି ତା'ର ଇଷ୍ଟ ଗଜାନନ
ଆଶା ବହେ ମନେ ପ୍ରଭୁ ବ୍ରହ୍ମ ଦରଶନ ।
ଦାରୁବ୍ରହ୍ମ ଦରଶନେ ସନ୍ତୋଷ ନୋହିଲା
କାହାନ୍ତି ସେ ଗଜାନନ ମନରେ ଚିନ୍ତିଲା l
ମାୟାଧର ମାୟା ତୋର କିଏବା ଜାଣିବ
ଚିନ୍ତାକଲୁ ଭକ୍ତ କିବା ନିରାଶେ ଫେରିବ l
ସ୍ନାହାନବେଦୀରେ ଧରି ଗଜାନନ ବେଶ
ଦର୍ଶନରେ ଭକ୍ତ ଗଣପତି ହେଲା ତୋଷ l
ସେଦିନୁ ପ୍ରସିଦ୍ଧ ତୋର ଗଜାନନ ବେଶ
ସ୍ନାନ ଜ୍ବରେ ଅଣସର ଲୀଳା ଜଗଦୀଶ l
ହାତୀମୁହାଁ ଜଗବନ୍ଧୁ ଜାତି ନାହିଁ ତୋର
ଭାତ ବିକା, ଜାତି କୂଳ ବୁଡ଼ାଉ ଭକ୍ତର l
ଅବଢ଼ା ଭୋଗ ତୋହର ଅମୃତ ସମାନ
ଅଗତିର ଗତି, ମୁକ୍ତି ମୁଢ଼ କରେ ଧ୍ୟାନ l