ଗୁରୁ ଜୀବନର ଆଲୋକ
ଗୁରୁ ଜୀବନର ଆଲୋକ




ଏକ ଦିନେ ମହାମୁନି ସେ ନାରଦ
ଗମିଲେ ବୈକୁଣ୍ଠ ଧାମ
ମିଳିଲେ ଛାମୁରେ ଲକ୍ଷ୍ମୀ ନାରାୟଣ
ଗାଇ ସ୍ୱରେ ପ୍ରଭୁନାମ ।
ପ୍ରଣାମ କରନ୍ତେ ପ୍ରଭୁମୁଖ ଦେଖି
ବିଷାଦର ଛାୟା ତଳେ
ଅଧିର ମହର୍ଷି ଆତୁରେ ପୁଛନ୍ତି
କିବା ଦୋଷ ମୋର ହେଳେ ।
ତୁମେ କ୍ଷମାମୟ କ୍ଷମାର ସାଗର
ଅପରାଧ ମୋର କିବା
ପ୍ରକାଶ କର ହେ ବିଶ୍ୱ ନିୟନ୍ତା
ଦୁର କରି ସର୍ବ ବ୍ୟଥା ।
ଦର ହସା ମୁଖେ ଚକ୍ରପାଣି ବସି
କହିଲେ ହେ ମୋର ପ୍ରିୟ
ଗୁରୁ କରିନାହଁ ଏ ଯାଏଁ କାହିଁକି
ମୋ ହୃଦ ହୁଏ ଅଥୟ।
ଚିନ୍ତା ଫେଡ ପ୍ରଭୁ ନାରଦ ବୋଲନ୍ତି
କାଲି ସୂର୍ଯ୍ୟୋଦୟ ହେଉ
ପ୍ରଥମେ ଯାହାକୁ ଭେଟିବି ତାହାଙ୍କୁ
ଗୁରୁ ବରିବି ଯେ ହେଉ ।
ପ୍ରଭୁଙ୍କ ତଥାସ୍ତୁ ଶୁଣି ସେ ମହର୍ଷି
ଗୁରୁ ଅନ୍ୱେଷଣେ ଗଲେ
ରାତି ନ ପାହୁଣୁ ଗୁରୁ ଖୋଜିବାକୁ
ଅବିଳମ୍ବେ ପ୍ରସ୍ଥାନ କଲେ ।
ଅରୁଣ କିରଣ ଫିଟି ଆସୁଥାଏ
ପୂରୁବ ଗଗନ ମେଲି
ନଦୀ କୂଳେ କୂଳେ କେହି ଜଣେ ସ୍ନାନ
ସାରି ଫେରୁଥାନ୍ତି ଚାଲି ।
ଛଦ୍ମବେଶୀ ମୁନି ପ୍ରଣମି ଚରଣେ
କହନ୍ତି ହେ ମହାଶୟ
ଆଜିଠାରୁ ତୁମେ ଗୁରୁଟି ମୋହର
ଥିବି ତୁମ ପଦାଶ୍ରୟ।
ମୋଚିଟିଏ ମୁହିଁ ମୁଁ କି ହେବି ଗୁରୁ
ଲାଗୁଛ ତୁମେ ବିଦ୍ୱାନ
ତୁମକୁ ବା ମୁଁ କି ଶିକ୍ଷା ଦେବି କୁହ
ହେ ପୁରୁଷ ମହିୟାନ।
ମୋଚି ବିଦ୍ୟା ଛଡ଼ା ଆନ ଜ୍ଞାନ ନାହିଁ
ଶିଖିବାକୁ ଯେବେ ଇଛା
ଆସନ୍ତା କାଲି ମୋ କୁଡ଼ିଆକୁ ଆସ
ପୁରାଇବି ମନ ବାଞ୍ଛା ।
ହତାଶ ହୃଦୟେ ବିଜେ ହେଲେ ଯାଇ
ପାଶେ ଲକ୍ଷ୍ମୀକାନ୍ତ ଙ୍କର
ମନ୍ଦ ହାସ ମୁଖେ ପୁଛନ୍ତି କେଶବ
ଗୁରୁ ଲାଭ ସବିସ୍ତାର।
ଅବନତ ମୁଖେ ମହର୍ଷି କହନ୍ତି
ଗୁରୁ ମୁଁ ପାଇଲି ସତ
ମୋଚିଟାଏ ମୋତେ କିବା ଶିଖାଇବ
କେଉଁ ଜ୍ଞାନ ବୁଦ୍ଧି ପାଠ ।
ମହାଜ୍ଞାନୀ ହେ ମୋ ପ୍ରିୟ ନାରଦ
ଏ କି କଲ ଅଘଟଣ
କୁମ୍ବିପାକ ନର୍କ ହେବ ଭୋଗିବାକୁ
କଲ ଗୁରୁ ଅପମାନ ।
ଆକୁଳ ଅନ୍ତରେ ଋଷି ପଚାରନ୍ତି
ଉପାୟ ଦିଅ ବତାଇ
ପ୍ରଭୁ ବତାଇଲେ ଗୁରୁ ହିଁ ସମର୍ଥ
ଉଦ୍ଧାର କରିବା ପାଇଁ ।
ଧାଇଁ ଧାଇଁ ଗଲେ ମହର୍ଷି ଅଧିରେ
ମିଳିଲେ ଗୁରୁଙ୍କ ଠାମ
ସକଳ ପ୍ରମାଦ ବର୍ଣିଲେ ବିସ୍ତାରେ
ଫେରିଲେ ଗୋଲକ ଧାମ।
ବିଷ୍ଣୁଙ୍କ ଛାମୁରେ ପହଞ୍ଚି ହରଷେ
କହିଲେ ଆରାଧ୍ୟ ମୋର
କୁମ୍ଭୀପାକ ନର୍କ ଅବଶ୍ୟ ମୋ ଭୋଗ୍ୟ
ଚିତ୍ରରେ ଦର୍ଶାଇ ଦିଅ।
ଚଟାଣରେ ପ୍ରଭୁ ଆଙ୍କିଦେଲେ ବସି
ନର୍କର ବିଶଦ ଛବି
ଅଚାନକ ମୁନି ଗଡ଼ିଲେ ତା ଉପରେ
କିଛି ଆଉ ନ ଭାବି ।
ନ ଉଠିବା ଦେଖି ପ୍ରଭୁ ନାରାୟଣ
କହନ୍ତି ଏ କି ବ୍ୟାପାର
କ୍ଷାନ୍ତ ହୁଅ ଏବେ ଶେଷ ହେଲା ତୁମ
ଯୋଜନା ନର୍କ ଭୋଗର।
ନାରଦ ସହର୍ଷେ ଭାଷନ୍ତି ଈଶ୍ୱରେ
ତୁମ ହାତଗଢା ନର୍କ
ଭୋଗ କରି ସାରି ଧନ୍ୟ ହେଲି ମୁହିଁ
ଏତ ଗୁରୁଙ୍କର ବାକ୍ୟ ।
ନାରାୟଣ ହସି କହନ୍ତି ହେ ମୁନି
ଗୁରୁ ଜୀବନର ସାର
ଅବମାନନା କଲେ ଗୁରୁଙ୍କୁ ସାମାନ୍ୟ
ଭୋଗ ମହା ବିପଦର ।
ଗୁରୁ ଜୀବନର ଆଦ୍ୟ ଅନ୍ତ ମଧ୍ୟ
ଗୁରୁ ବିନା ନାହିଁ ଗତି
ଗୁରୁ ଧ୍ରୁବତାରା ସଂସାର ପଥରେ
ହୁଡ଼ିଲେ ଟାଣନ୍ତି କତି ।