ଗୁରୁ ଦିବସ
ଗୁରୁ ଦିବସ
ପବିତ୍ର ଭାରତ ଭୂଇଁ ମୁନି ଋଷିଗଣ ପାଇଁ
ଯୁଗେ ଯୁଗେ ହୋଇଅଛି ବିଶ୍ୱେ ବିଖ୍ୟାତ,
ଗୁରୁ ଶିଷ୍ୟ ପରମ୍ପରା ସଂସ୍କୃତିର କ୍ରମଧାରା
ମାନବଙ୍କୁ କରେ ସଦା ଅନୁପ୍ରାଣିତ,
ଶିଷ୍ୟ ପାଶେ ଗୁରୁ ନମସ୍ୟ
ଜ୍ଞାନ ଗାରିମାରେ ବୁଝେ ସୃଷ୍ଟି ରହସ୍ୟ।୧।
ଗୁରୁ ବିନା ଶିଷ୍ୟ ଅଜ୍ଞ ହୁଏନାହିଁ କେବେ ବିଜ୍ଞ
ଅଜ୍ଞାନ ଅନ୍ଧାରେ ରହେ ସାରା ଜୀବନ,
ପାଳେ ଯିଏ ଗୁରୁ ଆଜ୍ଞା ନକରି ତିଳେ ଅବଜ୍ଞା
ଗୁରୁଙ୍କ ଆଶିଷେ ଲଭେ ବାସ୍ତବ ଜ୍ଞାନ,
ଜ୍ଞାନ ବଳେ ହୋଇ ବିଦ୍ଵାନ
ଜୀବନର ଲକ୍ଷ୍ୟ ତାର କରେ ପୂରଣ।୨।
ଜ୍ଞାନୀ ଗୁଣୀ ଦାର୍ଶନିକ ବିଶିଷ୍ଟ ସେ ଅଧ୍ୟାପକ
ଥିଲେ ଆମ ସର୍ବପଲ୍ଲୀ ରାଧାକୃଷ୍ଣନ,
ସେ ଦ୍ଵିତୀୟ ରାଷ୍ଟ୍ରପତି ପଦେ ଭାରତର ଜ୍ୟୋତି
ମାତୃଭୂମି ସେବା କରି ହେଲେ ମହାନ,
ଜ୍ଞାନୀ ଗଣେ ମହାପୁରୁଷ
ତାଙ୍କ ଜନ୍ମଦିନେ ପାଳୁ ଗୁରୁ ଦିବସ।୩।
ବୀରସ୍ବାମୀ ତାଙ୍କ ପିତା ସୀତାମ୍ମା ଯେ ମାତା
ତିରୁତ୍ତାଣି ଗ୍ରାମେ ନେଇଥିଲେ ଜନମ,
ଦର୍ଶନ ଶାସ୍ତ୍ରେ ଡକ୍ଟର ଉପାଧିର ଅଳଙ୍କାର
ଲାଭ କରି ଶିକ୍ଷାଦାନେ ହେଲେ ଉତ୍ତମ,
ଅଧ୍ୟାପକ ରାଧାକୃଷ୍ଣନ
ବିଦେଶ ଯାଇ ପ୍ରଚାରିଲେ ଦର୍ଶନ ଜ୍ଞାନ।୪।
ଗୁରୁ ରୂପରେ ସାଧକ ଜ୍ଞାନ ପଥ ପ୍ରଦର୍ଶକ
ଦର୍ଶନ ଶାସ୍ତ୍ରରେ ଥିଲେ ସେ ବିଷାରଦ,
ପ୍ରଚାର ପ୍ରସାର କରି ଦର୍ଶନ ତତ୍ତ୍ବର ଶିରୀ
ସାରା ବିଶ୍ବେ ବାଣ୍ଟିଥିଲେ ଜ୍ଞାନ ପ୍ରସାଦ,
ଥିଲେ ସିଏ ଦିଗଦର୍ଶକ
ଜ୍ଞାନ କ୍ଷେତ୍ରେ ଅଗ୍ରଦୂତ ସିଦ୍ଧ ସାଧକ।୫।
ଗୁରୁ ଭାବେ ତାଙ୍କୁ ପୂଜି ଶିଷ୍ୟ ରହେ ଜ୍ଞାନ ଅର୍ଜି
ସାକ୍ଷାତେ ନିଜ ଗୁରୁଙ୍କୁ କରେ ପ୍ରଣାମ,
ଜ୍ଞାନର ଆଲୋକ ପାଇ ସଂସାରେ ସୁଖୀ ହୁଅଇ
ସାର୍ଥକ କରଇ ଭବେ ତାର ଜନମ,
ଗୁରୁ ଶିଷ୍ୟ ଭାବ ଅନନ୍ୟ
ସତ୍ ଗୁରୁ ପାଏ ଯିଏ ହୁଏ ସେ ଧନ୍ୟ।୬।
ସାରା ଭାରତବର୍ଷେ ଏ ଦିବସ ପାଳି ହର୍ଷେ
ଶିଷ୍ୟ ଲଭେ ଗୁରୁଙ୍କର ଶୁଭ ଆଶିଷ,
ଜୀବନର ଯାତ୍ରା ପଥେ ଚାଲେ ସିଏ ଜ୍ଞାନ ସାଥେ
କଠିନ ଶ୍ରମେ ପ୍ରତିଭା କରେ ବିକାଶ,
ଜ୍ଞାନୀଜନ ଜ୍ଞାନେ ବିଜୟ
ହୋଇ କରେ ସଂସାରକୁ ସେ ମଧୁମୟ।୭।