ଗରିବ
ଗରିବ
ଯନ୍ତ୍ରଣାର ଜତୁଶାଳେ ଜଳିବାରେ
ମୋତେ ମିଳିଥାଏ ଆନନ୍ଦ
ଆଖିରେ ଲୁହ ଜକେଇ ଆସିଲେ
ଭାଙ୍ଗିନପଡି ମୁଁ ଦେଖାଏ ସାହସ
ପିଲାଦିନୁ ଆଜିଯାଏ ଦୁଃଖଦାରିଦ୍ର୍ୟର
କଷଟି ପଥରରେ ପେଷି ହୋଇ
ଜାରି ରଖିଛି ମୋର ସଂଘର୍ଷ
ଦୁନିଆକୁ ଚିହ୍ନିବାରେ ସୁଯୋଗ ପାଉଛି
ହଁ ମୁଁ ଗରିବ .....
ମୋର ସ୍ୱତନ୍ତ୍ର ସଂପ୍ରଦାୟ
ଏ ଭଦ୍ର ଧନୀକ ସମାଜ ମୋତେ
ଛୋଟ ନଜରରେ ଦେଖେ
ଘୃଣା କରେ କାରଣ ମୁଁ
ତାଙ୍କ ସହ ମିଶିବାକୁ ଯୋଗ୍ୟ ନୁହେଁ
କଷ୍ଟର ସୀମା ଟପିଲେ ବି
କିଛି ନିର୍ଦ୍ଦୟ ନୀଚ ମାନସିକତାଧାରୀଙ୍କ
ଦ୍ୱାରା ହୁଏ ମୁଁ ଶୋଷିତ
ହଁ ମୁଁ ଗରିବ .....
ତେଲିଆ ମୁଣ୍ଡରେ ତେଲ ଦିଆଯାଏ <
/p>
ହେଲେ ଭୋକିଲା ପେଟର ଭୋକ
କାହାକୁ ଜଣାପଡେନି
ଛିଣ୍ଡା ପୋଷାକରେ ଚିରାକନ୍ଥାରେ
ମୋ ଭଙ୍ଗାକୁଡ଼ିଆ ଚାଳରେ ଥିବା ଫାଙ୍କାରୁ
ଦୂର ଆକାଶର ଜହ୍ନକୁ ଦେଖି
ଜହ୍ନ ରାଇଜର ସପନ ଦେଖେ ମୁଁ
ହେଲେ ସେ ସପନ କେବେ ସତ ହୁଏନି
ହଁ ମୁଁ ଗରିବ ...
ମୋ ପାଖେ ବିବେକ ଅଛି
ଧନ ବଳ ନାହିଁ କିନ୍ତୁ ଧର୍ମ ବଳ ଅଛି
ମୁଁ ମିଛ କହେନି କି କାହାକୁ ଠକେନି
ଦୁଃଖରେ ରହେ କିନ୍ତୁ ଅନ୍ୟ ଓଠରେ ହସଆଣେ
କାହା ବିଶ୍ୱାସରେ ବିଷ ଦିଏନି
କାହା ହସିଲା ସଂସାର ଉଜାଡେନି
ମୋ ଶାଗ ପଖାଳରେ ମୋ ଆନନ୍ଦ
ପର ଧନରେ ମୋର ଆଖି ନଥାଏ
ହଁ ମୁଁ ଗରିବ ...