ଗୃହସ୍ଥି ଚୌପାଇ
ଗୃହସ୍ଥି ଚୌପାଇ
ଏକ ଦେହେ ସତେ ଦୁଇ ଗୋଟି ଅଙ୍ଗ
ଯୁଗଳ ମୂରତି ହୋଇ ପ୍ରତିବିମ୍ବ,
ଏକ ଆରେକର ସ୍ଵପ୍ନ ଜୀଇଁ ନିଏ
ଅଦ୍ଭୁତ ସତେ ଏ ସଂସାର ପ୍ରସଙ୍ଗ।
ଜୀବନର ଅଧା ବାଟେ ହୋଇ ଭେଟ
ଚାଲିଥାନ୍ତି ଦୁହେଁ ନ ମାନି ଆକଟ,
ଚିର ସାଥୀ ହୋଇ ବଞ୍ଚିବାର ସଙ୍କଳ୍ପରେ
ଫିଟି ଯାଏ ଯେତେ ହସର କବାଟ।
ଜଣଙ୍କ ଆଖିରୁ ଝରି ଯାଏ ଲୁହ
ସାଥିର ହୃଦୟେ ଉଠେ ଯେବେ କୋହ,
ସ୍ଵପ୍ନ ଆଶା ବ୍ୟଥା ବେଦନା ସବୁକୁ
ବାଣ୍ଟି ନ୍ୟନ୍ତି ଦୁହେଁ ନ କରି ସନ୍ଦେହ।
ଅଧେ ଅଧେ କରି ସଂସାର ବୋଝକୁ
ମୁଣ୍ଡେଇ ଚାଲନ୍ତି ବାଧା ବିପଦକୁ,
ହାତେ ହାତ ଛନ୍ଦି ଲଂଘି ଯାନ୍ତି ଗିରି
ଦୁଃଖ ଭୟ ସବୁ ଅପବାଦକୁ।
ସନ୍ତର୍ପଣେ ଦୁହେଁ ଚାରି ପାଦକୁ ପକାଇ
ପରିବାରର ସବୁ ଧର୍ମକୁ ନିଭାଇ,
ଅଶାନ୍ତି ଭିତରେ ହିଁ ଶାନ୍ତିକୁ ସାଉଁଟି
ଲେଖନ୍ତି ଏକତ୍ର ମିଳି ଗୃହସ୍ଥି ଚୌପାଇ।