ଗୋଲାପୀ ଚିତ୍ର
ଗୋଲାପୀ ଚିତ୍ର
ସତ କହୁଛି ବନ୍ଧୁ ଦେଶ କଥା
ଭାବିବାକୁ ଆଉ ତର ସହେ ନାହିଁ
ତେଲଲୁଣର ସଂସାରର ଭାର
ବୋହି ବୋହି ବେଳ ମୋର କାହିଁ??
ଦେଶ ପାଇଁ ସିନା ମୁଁ ଚିନ୍ତୁଛି ଅବିରତ
ଦେଶ ପାଇଁ କହୁଛି ଖୋଲି ନିଜ ମୁଖ
ଦେଶ ମୋ ପାଇଁ ନା ମୁଁ ଦେଶ ପାଇଁ?
ତଥାପି ରହିଛି ଅବୋଧ୍ୟ ଏଇ ପ୍ରଶ୍ନ!!
ଦିବସରୁ ରାତ୍ରୀ ସମୟ ଯାଉଛି ବିତି
ମୁଠାଏ ଆହାର ସଂଗ୍ରହ ଚିନ୍ତାରେ
ଅଣ୍ଟା ମୋ ଭାଙ୍ଗିଛି ମହଙ୍ଗା ମାଡ଼ରେ
କାଟୁଛି ମୁଁ କାଳ ଭୋକ ଉପାସରେ!!
ଭୋକିଲା ପେଟରେ କି ପର ପାଇଁ
ଦେଶ ପାଇଁ ଚିନ୍ତା କରାଯାଏ?
ସତରେ ଏଇ ସମୟ ଅର୍ଥଶୂନ୍ୟ
ମଣିଷକୁ କି କି ଦିନ ନ ଦେଖାଏ??
ସତ କହି ଦୋଷ ଦୁର୍ବଳତା ଦେଖାଇ
କାହିଁକି ବହିବି ରାଷ୍ଟ୍ରଦ୍ରୋହୀର ଉପାଧି?
ସଭିଏଁ ପ୍ରଗତି ରାଜପଥରେ
ଧାଉଁଛନ୍ତି
ରୋକିବି କାହିଁ କାହାର ମୁଁ ଦୃତଗତି??
ଦେଶ ତ କରୁଛି ଦିନୁଁ ଦିନ ପ୍ରଗତି
ଗୋଲାପୀ କାନଭାସ୍ କାନ୍ଥରେ
ମୋ ଭଳିଆ କେଇଟା ଲୋକ ଯାହା
କୋଡୁଛନ୍ତି ମଥା ହତାଶବୋଧରେ!!
ଅର୍ଥନୀତିର ମେରୁଦଣ୍ଡ ମୁଦ୍ରା ବଜାର
ସୂଚକାଙ୍କ ରଚୁଛି ନିତି ଏଠି କୀର୍ତ୍ତିମାନ
ଉଛୁଳି ପଡୁଛି ବିଦେଶୀ ମୁଦ୍ରା ଭଣ୍ଡାର
ବିଦେଶୀ ନିବେଶ ଛୁଇଁଛି ଶୀର୍ଷସ୍ଥାନ!!
ସବୁ ତ ବଢୁଛି ବଢେ ପୁଣି ମୁଦ୍ରାସ୍ଫୀତି
ବେକାରୀ କ୍ଷୁଧାଗ୍ରସ୍ତ ମଣିଷଙ୍କ ଗଣତି
ଗଡୁଛି କାହିଁ ମୁଦ୍ରା ବିନିମୟ ମୂଲ୍ୟ
ସକଳ ଘରୋଇ ଉତ୍ପାଦ ପ୍ରତିଶତ??
ସଭିଙ୍କୁ ଯଦି ଦିଶୁଛି ପ୍ରଗତିର ଚିତ୍ର
ଗୋଲାପୀ ଗୋଲାପୀ ଅବା ସପ୍ତରଙ୍ଗୀ
ମୁଁ ବା କାହିଁକି କୁହ ଭଲା ତୁଚ୍ଛାଟାରେ
କେଉଁ ସ୍ୱାର୍ଥେ ହୋଇବି କାମଳ ରୋଗୀ??