ଘୁଙ୍ଗୁର
ଘୁଙ୍ଗୁର
ଘୁଙ୍ଗୁର ତୁ କେବେ ରାଧାରାଣୀ ପାଦେ
ପ୍ରତି ପଦ ପାତେ ବାଜି,
ଆକର୍ଷୁ ଥିଲୁ ତୁ କଳା କାହ୍ନୁ ଚିତ୍ତ
ହେଉଥିଲେ ତୋତେ ଖୋଜି ।
ବଂଶୀ ସହିତ କିଭାବ ତୋହର
ବାଜିଲେ ହେଉତୁ ବଣା,
ବାଟ କି ଅବାଟ ମାନେ ନାହିଁ ରାଈ
ସହେ ଯେତକ ଗଞ୍ଜଣା ।
ରାମ ଙ୍କ ପାଦରେ ଶୋଭୁ ଥିଲୁ ଯେବେ
ତାଙ୍କରି ବାଲ୍ୟ କାଳେ,
ଅଯୋଧ୍ୟା ନଅର ଖୁସିରେ ଝୁମେ
ଠୁମକ ଚାଲିର ତାଳେ ।
କେବେ ତୁ ଘୁଙ୍ଗୁର ଦେବଦାସୀଙ୍କର
ପାଦେ ବାଜୁ ନିଶିଥରେ,
ସୁର ତାଳ ଲୟ ଏକାକାର କରୁ
ଗୀତ ଗୋବିନ୍ଦ ର ସୁରେ ।
ସେଇ ସ୍ୱର ଟିକେ ଶୁଣିବାକୁ ପରା
ଜଗା ରହିଥାନ୍ତି ଚାହିଁ,
ନଶୁଣିଲେ ଟିକେ ସେ ଚକାଆଖିରେ
ନିଦ ଯମା ଆସେ ନାହିଁ ।
ବାଇଜୀ ମାନଙ୍କ ପାଦରେ ସାଜୁତୁ
କାମନା ବହ୍ନିଙ୍କୁ ଜାଳି,
ତୋ ଲାଗି ନିଶିଥେ କେତେ ଯେ କାମୁକ
ଘର ଦ୍ୱାର ଯାନ୍ତି ଭୁଲି ।
ଓଡିଶୀ ନୃତ୍ୟ ର ତାଳେ ତାଳେ ଯେବେ
ନର୍ତ୍ତକୀ ପାଦରେ ସାଜୁ,.
ମନ୍ତ୍ର ମୁଗ୍ଧ କରୁ ସକଳ ଜନତା
ସମ୍ମାନରେ କେତେ ଭିଜୁ ।
ହୁଅନ୍ତିକି ପାଦ ପାଉଁଜି ଘୁଙ୍ଗୁର
ସାଜନ୍ତି ରାଧାଙ୍କ ପାଦେ,
ବାଜୁଥାନ୍ତି ମୁଁ ସକାଳେ ସଞ୍ଜେ
କାହ୍ନୁ ଙ୍କର ବଂଶୀ ନାଦେ ।