ଘଟଗାଁ ରାଣୀ ମାଆ ତାରିଣୀ
ଘଟଗାଁ ରାଣୀ ମାଆ ତାରିଣୀ
ଘଟଗାଁ ରାଣୀ ମାଆ ତାରିଣୀ ।
ସିନ୍ଦୂର ମଣ୍ଡିତ ନଡିଆ ରାଣୀ ।୧।
ଶାଳଗଛ ମୂଳେ ଆସ୍ଥାନ ତୋର ।
ସଙ୍କଟ ତାରିଣୀ ମାଆ ମୋହର ।୨।
ବିପଦେ ଡାକିଲେ ଶୁଣୁ ତୁ ମାଆ ।
ସନ୍ତାନଙ୍କୁ ତୋର ହେଉ ତୁ ସାହା ।୩।
ମନ୍ଦାର ମାଳରେ ଶୋହେ ତୋ ଗଳା ।
ଭକତ ହୃଦୟ ଗଳାର ମାଳା ।୪।
ଭକତ ଡାକଇ ଦୂରରେ ଥାଇ ।
ନଡ଼ିଆଟିଏ କେ ଦିଏ ପଠାଇ ।୫।
ମାନସିକ ତାର କରୁ ପୂରଣ ।
ଦରଶନେ ତୋର ତୋଷେ ପରାଣ ।୬।
ତୋ ନାମ ଧରିଲେ ନଥାଏ ଭୟ ।
ଅଭୟଦାୟିନୀ ଜୟ ମା ଜୟ ।୭।
କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜ ।
ଭକତ ତୋହର ହେଲୁ ମା ସଜ ।୮।
କାଞ୍ଚି ଜୟ କରି ତତେ ଆଣିଲେ ।
ଗଜପତିଙ୍କୁ ତତେ ସମର୍ପିଲେ ।୯।
ନିଜ ରାଇଜକୁ ଚଳିଲେ ରାଜା।
ମନେ ମନେ ତତେ କରନ୍ତି ପୂଜା ।୧୦।
ନିତ୍ୟ ଦର୍ଶନ ପିପାସା ବଢିଲା ।
ଗଜପତିଙ୍କୁ ସ୍ୱପ୍ନାଦେଶ ହେଲା ।୧୧।
କହିଲୁ ଗୋବିନ୍ଦ ଭକତ ମୋର ।
ତା ସଙ୍ଗତେ ଯିବି ମୁଁ କେନ୍ଦୁଝର। ୧୨।
ସର୍ତ୍ତ ରଖିଲୁ ଗୋବିନ୍ଦଙ୍କ ସହ ।
ଯିବି କେନ୍ଦୁଝର ନାହିଁ ସନ୍ଦେହ ।୧୩।
ଘୋଡାରେ ତୋ ପଛେ ଚଳିବି ମୁହିଁ ।
ପଛକୁ କେବେ ତୁ ଚାହିଁବୁ ନାହିଁ ।୧୪।
ପଛକୁ ଚାହିଁଲେ ହେବି ପଥର ।
କହିଲୁ ଗୋବିନ୍ଦ ଚଳ ସତ୍ୱର ।୧୫।
ଗୋବିନ୍ଦ ଭଞ୍ଜ ଚଳିଲେ ଅଶ୍ୱରେ।
ତୁ ଅଶ୍ୱେ ଚଳିଲୁ ତାଙ୍କ ପଛରେ ।୧୬।
ରୁଣୁଝୁଣୁ ତୋ ପୟର ନୂପୁର ।
ଶବଦ ଶୁଣନ୍ତି ସେ ନୃପବର ।୧୭।
ମାୟା ରଚିଲୁ ତୁ ଶାଳ ବଣରେ ।
ନୂପୁର ଶବ୍ଦ ନ ପଡେ କର୍ଣ୍ଣରେ ।୧୮।
ପଛକୁ ଚାହିଁଲେ ଗୋବିନ୍ଦ ରାଜା ।
ପଥର ହୋଇ ତୁ ପାଇଲୁ ପୂଜା ।୧୯।
ଶାଳ ବଣର ପ୍ରେମରେ ପଡିଲୁ ।
ଶାଳ ଗଛମୂଳେ ପୂଜା ପାଇଲୁ ।୨୦।
ନିତି ନିତି ତୋର ଦର୍ଶନ ପାଇଁ ।
ଗୋବିନ୍ଦ ଆସିଲେ ଅଶ୍ୱ ଆରୋହୀ ।୨୧।
କଥା ରହିଗଲା କାଳ କାଳକୁ ।
ଦେହୁରୀ ପୂଜନ କରେ ତୁମକୁ ।୨୨।
ବ୍ରାହ୍ମଣ ପୂଜକ ମିଳିଲେ ନାହିଁ ।
ଦେହୁରୀ ପୂଜିବ କହିଲୁ ତୁହି ।୨୩।
ଘୃତଘଡି ବାନ୍ଧି ଶାଳ ଗଛରେ ।
ପୂଜା ପାଇଲୁ ତୁ ଶାଳ ମୂଳରେ। ୨୪।
ସୁନ୍ଦର ମନ୍ଦିର ଏବେ ହୋଇଛି ।
ତାରିଣୀ ମା ଶାଳମୂଳେ ବସିଛି ।୨୫।
ନଡ଼ିଆରେ ପ୍ରୀତି ଭାରି ତାହାର ।
ନଡିଆ ଆସେ ହଜାର ହଜାର ।୨୬।
ଭକତ ମନେ ମାନସିକ କରି ।
ନଡିଆ ପଠାଏ ଗାଡିରେ ଧରି ।୨୭।
ତାରିଣୀଙ୍କୁ ଦେବ ନଡିଆ ନେଇ ।
କହିଲେ କେହି ମନା ନକରଇ ।୨୮।
ବସ୍ତା ବସ୍ତା ହୋଇ ଆସେ ନଡିଆ ।
ଭଙ୍ଗା ହୋଇ ପୂଜା ହୁଅଇ ତାହା ।୨୯।
ଘଟଗାଁ ଆସି ଭକତ ଜନ ।
କରନ୍ତି ମାଆଙ୍କର ଦରଶନ ।୩୦।
ସଭିଙ୍କୁ କରୁଣା କରନ୍ତି ମାଆ ।
ଆପଦେ ବିପଦେ ହୁଅନ୍ତି ସାହା ।୩୧।
ଚଇତି ପରବ ପଣା ସଂକ୍ରାନ୍ତି ।
ସାତଦିନ ଧରି ପାଳନ୍ତି ଏଥି ।୩୨।
ସୁନାବେଶରେ ମାଆ ଦରଶନ ।
କରି ଭକତେ ହୁଅନ୍ତି ପ୍ରସନ୍ନ ।୩୩।
ଘଟଗାଁ ରାଣୀ ମାଆ ତାରିଣୀ ।
ଚରଣ ତଳେ ତୋ କରେ ଦୟିନୀ ।୩୪।
ମନ ମୋର ତୋର ପାଦରେ ଥାଉ ।
ତୋ ପଣତ କାନି ମୋ ଶିରେ ରହୁ ।୩୫।
ଅଭୟା ବରଦା ସଭିଙ୍କୁ ହୁଅ ।
କରୁଣା କଣା ମା ସଭିଙ୍କୁ ଦିଅ ।୩୬।