ଘଟ ଗାଁ ରାଣୀ
ଘଟ ଗାଁ ରାଣୀ
ସ୍ନେହମୟୀ ମାଗୋ ଘଟ ଗାଁ ରାଣୀ
ମମତାର ମୋତି ଝରେ
ଭକ୍ତର ଦୁଃଖକୁ ହରଣ କରୁ ମା
ତୋ ପଣତ ଆଢୁଆଳେ ।
କିମ୍ବଦନ୍ତୀ କୁହେ ଶ୍ରୀକ୍ଷେତ୍ରରେ ଥିଲୁ
ଗୋବିନ୍ଦ ଭଞ୍ଜ ତୋ ଭକ୍ତ
ତାଙ୍କରି ସଙ୍ଗରେ ଶ୍ରୀକ୍ଷେତ୍ରରୁ ମାଆ
କରିଥିଲୁ ପରା ଗସ୍ତ ।
ଦୂର ପଥ ଗମି ଶୁଭିଲାନି ଯେବେ
ତୋ ଅନୁସରଣ ଶବ୍ଦ
ଭକତ ଭଞ୍ଜଙ୍କ ଶଙ୍କା ଉପୁଜିଲା
ପଛକୁ ଚାହିଁ ତୁରନ୍ତ ।
ସେଇ ଠାରେ ମାତା ପଥର ହୋଇଲୁ
ଆସ୍ଥାନ ଜମେଇ ଦେଲୁ
ଶାଳବଣେ ତୋର ଶରଧା ହେଲା ମା
ସେହିଠାରେ ରହି ଗଲୁ ।
ଶାଳବଣ ଶୋଭା କେତେ ମନୋରମ
ଝରଣା ଝର୍ ଝର୍ ନାଦ
ମାଟି ଘୋଡ଼ା ମେଳେ ଅପୂର୍ବ ତୋ ଶୋଭା
ତୁ ମା ମମତାର ଉତ୍ସ ।
ଘଟ ଗାଁ ବାସନୀ ସିନ୍ଦୂର ମନ୍ଦାରେ
ଅପୂର୍ବ ତୋହର ଶୋଭା
ଆଖିରେ ଆଖିଏ ସରାଗ ନେଇ ମା
କେନ୍ଦୁଝରରେ ତୁ ଉଭା ।
ତାରେଣୀ ମାଆ ଲୋ ତୋ ସନ୍ତାନେ ପରା
ପଣତ ଘୋଡାଇ ରଖୁ
ଭକ୍ତ କାନ୍ଦୁ ଥିଲେ ପଣତ ବଢାଇ
ଆଖି ଲୁହ ପୋଛି ଦେଉ ।
ସିନ୍ଦୁରୀ ମାଆ ଲୋ ତୋ ସୁନ୍ଦର ମୁହଁ
ଦେଖି ଦେଲେ ରାହା ମିଳେ
ତୋ ଚରଣେ ମଥା ଥାପି ଦେଲେ ମାଆ
କଷଣ ଦୂରେଇ ଯାଏ ।
ମମତାମୟୀ ଗୋ ଘଟ ଗାଁ ରାଣୀ
ଜଗତର ତୁହି ମାଆ
ସନ୍ତାପ ହାରିଣୀ ଦୁରିତ ନାଶିନୀ
ତୁ ଯେ ଜଗତର ସାହା ।
ଦୂରରେ ଥାଇ ମୁଁ ଚିଠି ଲେଖୁଅଛି
ଶାଳବଣ ଠିକଣାରେ
ବେଲ ପତରରେ ସିନ୍ଦୁର କାଳିରେ
ଅକ୍ଷର ସଜାଇ ରଖେ ।
ଚିଠି ଉପରେ ମୁଁ ମନ୍ଦାର ଫୁଲକୁ
ସଜାଇ ରଖିଲି ମାଆ
ଚୁଡ଼ି ଶଙ୍ଖା ମଧ୍ୟେ ଭର୍ତ୍ତି କରି ମା
ନଡ଼ିଆ ବାନ୍ଧିଲି ମାଆ ।
ଚିଠି ମୁଁ ଲେଖୁଛି ଆଖିର ଲୁହରେ
ବେଦନାର ଭାଷା ଦେଇ
ପଢ଼ି ଦେଇ ଥରେ ଦେବୁ ଲୋ ଉତ୍ତର
ପ୍ରତୀକ୍ଷା କରି ବସିବି |
ଯାଇ ପାରୁ ନାହିଁ ତୋ ପାଖକୁ ମାଆ
ପଣତ ଲମ୍ବାଇ ଦେଏ
ସେ ପଣତେ ମାଆ ଲୁହ ପୋଛି ଦେ ଲୋ
ଶାନ୍ତି ଭରିବ ଅନ୍ତ୍ରରେ ।
ଦୂରରେ ଥାଇ ମୁଁ କରୁଅଛି ଅଳି
ଜଗନ୍ମାତା ଦୁଃଖ ହର
ଜଗତ ସନ୍ତାପ ହରି ନେ ଲୋ ମାଆ
ଜଗତ ହେଉ ସୁନ୍ଦର ।
ଚଇତି ପରବେ ଝାମୁ ଜାତେ ମାଆ
ଉତ୍ସବ ମୁଖର ପୀଠ
ଆଶିଷ ଦେଏ ମାଆ ତୋହରି ସନ୍ତାନେ
ନ ସେ ଯେ ବିମୁଖ ।
ଜଗତ ମାତା ଲୋ ମୋ ନଡ଼ିଆ ରାଣୀ
ଶାନ୍ତିର ବାରତା ଦେଏ
ମାନବତାବାଦ ଶିଖାଇ ଦେଏ ମାଆ
ମଣିଷ ପଣିଆ ଦେଏ ।
ତୋ ପଣତେ ମାଆ ପୋଛି ଦେ ଜଗତୁ
ହିଂସା କପଟର ଧୂଳି
ତୋ ପ୍ରେମ ପରଶେ ସନ୍ତୋଷ ଭରି ଦେ
ବିଶ୍ଵେ ଶାନ୍ତି ଯାଉ ଭରି ।