ଘର
ଘର
ଘର ବୋଲି ଯାକୁ କହଇ ସଂସାର
ଘର ନୁହେଁ ସେତ ସରଗ ପୁର
ସ୍ନେହ ପ୍ରେମ ସଦା ଯହିଁ ନିରନ୍ତର
ସଭିଁଙ୍କ ଆଦର ବୈକୁଣ୍ଠପୁର
କୁନି କୁନି ଶିଶୁ କୁନି ଠାକୁର
ବୁଢା ବାପା ମାଆ ଜ୍ଞାନ ଭଣ୍ଡାର
ସୁଖ ର ସଉଦା ଦୁଃଖ ବଜାରେ
କରିଣ ଚଳନ୍ତି ପିତା ଆମର
ମାତା ଯେ ମମତାମୟୀ...
ସବୁରି ଖୁସି ଶରଧା ପାଇଁ
ଅହରହ ସେବା ଯତ୍ନ କରଇ ।
ପୁନେଇଁ ପରବ ଭଳି କି ଭଳି
ଭାଇ ଭଉଣୀ ଙ୍କ ଝଗଡା କଳି
ମନ ଆନନ୍ଦରେ ଗୀତ ଗାଇ ବୁଲୁ
ନାଚି ନାଚି ଘରେ ଛାଡୁ ବୋବାଳି
ସୁଖ ଦୁଃଖ ଏଠି ନିତି ଆତଯାତ
ଘରଟି ମୋହର ପରାଣ ମିତ
ତା ଠାରୁ ଲଭେ ମୁଁ ପ୍ରତିଟି ଶିକ୍ଷା
ଜୀବନ ହାଟରୁ କରେ ସଉଦା
ଜୀବନ ଜଞ୍ଜାଳ ବେତ୍ରାଘାତରେ
ଘର ହିଁ ବଞ୍ଚିବା କଳା ଶିଖାଏ ।
ଘର ଯେ ଅଟଇ ଜୀବନ କେନ୍ଦ୍ର
ଘର ବିନା ମନୁଷ୍ୟ ଅପଦସ୍ତ
କେବଳ କୋଠରୀ ଘର ନୁହଁଇ
ମନୁଷ୍ୟ ମେଳାକୁ ଘର ବୁଝଇ
ପିତା ମାତା ଭାଇ ଭଉଣୀ ମେଳେ
ଘରଟି ହସଇ କାଳେ କାଳେ
ଭୁଲିବି ନାହିଁ ମୁଁ ଘର କୁ ମୋର
ସେ ପରା ମୋ ଅତି ଆପଣାର ।