ଘୋଷଯାତ୍ରା (୨)
ଘୋଷଯାତ୍ରା (୨)


ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କୁ କହୁଛନ୍ତି
ନଅଦିନ ପାଇଁ ଲକ୍ଷ୍ମୀ ମହାଦେଈ ବସ୍ତ୍ର ସାଇତ ପେଡିରେ ,
ତେଲ,ଦାନ୍ତକାଠି,ଶିଙ୍ଗି ପାନିଆଟି ରଖିବ ତାତପର୍ଯ୍ୟରେ ଗୋ, ସେବାୟତକୁ ଦେଇ,
ପେଡି ରଥେ ଦିଅ ପହୁଞ୍ଚାଇ ଗୋ।
ଶୁଣି ଏହି ଗିର ମୁହଁକୁ ଅଥାର ହାଣ୍ଡି କରି ଜଗତ୍ ମାତା
ସବୁ ସଜାଡିଲେ ହେଲେ ପଦେ ହେଲେ ହସି ନ'କହିଲେ କଥା ସବୁ ଜାଣି ଗୋବିନ୍ଦ'
ଧୀରେ ହସୁଥିଲେ ମନ୍ଦ ମନ୍ଦ ହେ।
ଗମ୍ଭୀରି ଭିତରେ ପ୍ରଭୁଙ୍କ ପାଖରେ ସିନ୍ଧୁ ରାଜ ଜେମା ରହି
"ଡେରି ନକରିବ,ଚଞ୍ଚଳ ଫେରିବ"କହି ଦିଅନ୍ତି ସଜାଇ ହେ,
କେତେମତେ ଶ୍ରୀଙ୍ଗାର !
ଚକାଡୋଳା ଦିଶନ୍ତି ସୁନ୍ଦର ହେ।
"ବାହାରକୁ ଗଲେ ଲକ୍ଷ୍ମୀ ସପନରେ ଥରେ ବି ପଡେନି ମନେ,
ଜଗତର କାମ ବୁଝୁ ବୁଝୁ ତୁମ ଘରଣୀ ନରହେ ଧ୍ୟାନେ ହେ,
ଏକା ଘରେ ଜୀବନ,
କଟେ କିପରି ତୁମେ କି ଜାଣ ହେ ?"
ବୋଲନ୍ତେ ଏମନ୍ତ ଜଗତର ମାତ କହନ୍ତି ଚକାନୟନ,
"ଆଉ ସେ ପ୍ରକାର ଅପରାଧ ମୋର ହେବନାହିଁ ପ୍ରାଣଧନ ଗୋ, ଏବେ ବିଦାୟ ଦେଇ,
ରହ ମନ୍ଦିରେ ସିନ୍ଧୁ ତନୟୀ ଗୋ।"
ଆଜ୍ଞାମାଳ ନେଇ,ସେବାୟତେ ଧାଇଁ ଆସିଲେ ଉଚ୍ଛନ୍ନ ହୋଇ,
ପହୁଣ୍ଡି ବିଜୟ ପାଇଁ ଦେବରାୟ ଲକ୍ଷ୍ମୀଙ୍କର ଆଜ୍ଞା ନେଇ ହେ,
ହେଲେ ଯିବାକୁ ସଜ,
କି ସୁନ୍ଦର ବେଶ ଦେବରାଜ ହେ !
ରସିକ ପ୍ରବର କାନେ ଖୋସି ଫୁଲ ପୁଣି ଦୁବ ବରକୋଳି,
ଦର୍ପଣରେ ଦେଖି ମୁଖ ଚକାଆଖି ମୁଚୁକୁନ୍ଦ ହସ ଢାଳି,
ଲକ୍ଷ୍ମୀଙ୍କୁ ଦେଲେ ଚାହିଁ,
ଆଡ ନେତ୍ରରେ ଜଗତସାଇଁ ହେ।
ପଗଡି ଉପର ମୁକୁଟ ସୁନ୍ଦର,ନାଚେ ତାପରେ ଟାହିଆ,
ଅପୂର୍ବ ଦିଶନ୍ତି ହୋଇ କଳାହାତୀ ପହୁଣ୍ଡିରେ ଟେକାଥୁଆ ହେ
ବଡ ରସିକବର,
କନ୍ଦର୍ପରୁ ବଳି କଳେବର ହେ !
ଡାଆଁଣି,ଡାଆଁଣି ଘଣ୍ଟ ବାଜେ ପୁଣି ଝାଞ୍ଜ,ଢୋଲ,କରତାଳ,
ଝୁଲି,ଝୁଲି ହାତୀ ରଥକୁ ଯାଆନ୍ତି ଛାଡିଣ ନୀଳଶଇଳ ହେ,
ପ୍ରଭୁ ଦର୍ଶନ ପାଇଁ,
ସାରା ସଂସାର ରହିଛି ଚାହିଁ ହେ ।