ଗହ୍ମା ପୁନେଇଁରେ ମାଇଁ
ଗହ୍ମା ପୁନେଇଁରେ ମାଇଁ
ଗୋପରେ ବାଜେ ବାଇଦ,
ଝୁଲଣ ଯାତରା ବଡ଼ ଆନନ୍ଦ,
ଝୁଲନ୍ତି ରାଧା ବିନୋଦ l
ଗୋପୀ ଗୋପାଳ ଆନନ୍ଦ,
ଆନନ୍ଦ ଯଶୋଦା ଆନନ୍ଦ ନନ୍ଦ,
ବହେ ମଳୟ ମରନ୍ଦ l
ପାଟ ଡୋରେ ଦିବ୍ୟଦୋଳି,
ଦୋଳିରେ ଝୁଲନ୍ତି ଶ୍ରୀଵନମାଳି,
ଆନନ୍ଦ ବ୍ରଜ ଦୁଲାଳୀ l
ଦୋଳିରେ ଦୋଳ ଗୋବିନ୍ଦ,
ମନ୍ଦ ମନ୍ଦ ହସେ ସର୍ବେ ଆନନ୍ଦ,
ନିତ୍ୟାନନ୍ଦ ଆଦିକନ୍ଦ l
ଆଲୋ ଆଲୋ ନନ୍ଦରାଣୀ,
ଦେଖ ତୋ ପୁଅର ବାଙ୍କ ଚାହାଣି,
ହୃଦୟ ଦେଉଛି ହାଣି l
ଧନ ମୋର ନେତ୍ରମଣି,
କେଉଁ ଭାଗ୍ୟେ ଦେଲା ବିଧାତା ଆଣି,
ଯଶୋମତି ନେତ୍ରେ ପାଣି l
କ୍ଷୀର ପିଆଇବା ପାଇଁ,
ଗୋପକୁ ଆସିଲା ପୁତନା ଧାଈ,
କୋଳେ ବସାଇଲା ନେଇ l
ଶିଶୁ ଘାତି କେଡ଼େ ହୀନ,
ପଞ୍ଚ ପ୍ରାଣ ଶୋଷି ଜଗଜ୍ଜୀବନ,
ବୈକୁଣ୍ଠରେ ଦେଲେ ସ୍ଥାନ l
ଆମ କାହ୍ନୁ କଳା ହାତୀ,
କଂସ ବନ୍ଦୀଘରେ ଅନ୍ଧାର ରାତି,
ଗୋପେ ଆସିଲା ଝଟତି l
ଯମ ଭଉଣୀ ଯମୁନା,
ବୁକୁ ଚିରି ପଥ କଢ଼ାଏ ସିନା,
ଅନନ୍ତ ଟେକିଲେ ଫଣା l
ଗୁଣି ଗୁଣି କୃଷ୍ଣ ଗୁଣ,
ଝୁଲି ଝୁଲାବନ୍ତୀ ଗୁଆଳି ଗଣ,
ବିରୁଦାବଳୀ ଗାୟନ l
ଗହ୍ମା ପୁନେଇଁରେ ମାଇଁ,
ଆସିଲେ ରାଧିକା ବସିଲେ ନାହିଁ,
ହସନ୍ତି କଳା କହ୍ନାଇ l
ଶ୍ରାବଣ ପୂର୍ଣ୍ଣିମା ରାତି,
ଝୁଲରେ କହ୍ନାଇ ମୋ କଳା ହାତୀ,
ଝୁରିଲି ଦିବସ ରାତି l