ଏତେ ଉପରେ
ଏତେ ଉପରେ
ଥୁଣ୍ଟା ପତ୍ରହୀନ ଶ୍ରୀହୀନ ଥିଲା ସେ
ମେଘକୁ ଆଶରା କରି
ଅଶରାଏ ବର୍ଷା ବର୍ଷିଗଲା ଯେବେ
ସବୁଜିମା ଗଲା ଭରି ।
ପତ୍ରଝଡା ଦିଏ ପଉଷ ଛୁଇଁଲେ
ଥୁଣ୍ଟା ଗଛରେ କଅଁଳେ ପତ୍ର
ମନ ଯେବେ ଉଡେ ନୀଳାଭ ଗଗନେ
ଉଦ୍ଜୀବିତ ହୁଏ ଆଶା ଇମାରତ ।
ଜୀବନ ଯୌବନ ପ୍ରେମ ଓ ବୟସ
ହୋଇଗଲେ ଏକାକାର
ଉପରେ ଉପରେ ବୁଲୁଥାଏ ମନ
ଡେଣାରେ ଲାଗଇ ପର।
ଉଚ୍ଚ ଅଭିଳାଷ ମନ୍ଦ ନୁହେଁ କେବେ
ସାହସ ଥିଲେ ମନରେ
ସେହି ମନୋବଳ ହୁଏ ଦୃଢୀଭୂତ
ଉପରକୁ ଉଡିବାରେ ।
ମାଟିର ଏହି ମୋହ ମାୟାରେ ବୁଡି
ଅଛି ଅଶୁମାରି ଆମ ଆଶା
ଯେତେ ଉପରକୁ ଉଡିଲେ ବି ଆମେ
ମେଣ୍ଟେନାହିଁ କେବେ ତୃଷ୍ଣା ।
ବିଧବାର ଶୂନ୍ୟ କପାଳ ପରାଏ
ଯେବେ ବିବଶ ହୁଏ ପୃଥିବୀ
ତଥାପି ମୋହଗ୍ରସ୍ଥ ଏ ମଣିଷ ଜାତି
ଉପରକୁ ଯାଉଥାଏ ଉଡି ।