ଏକ ଋତୁ
ଏକ ଋତୁ
ଅଶନି ର ତାଳେ ତାଳେ,
ମୟୂର ଚନ୍ଦ୍ରିକା ମେଲି,
ଢଳି ଢଳି ନାଚିଲାଣି ବନରେ ମୟୂରୀ।
ବାଦଲ ଖୁସିରେ ଭିଜା କଳାମେଘି ଶାଢୀ ପିନ୍ଧି,
ଓଠରେ ତା ଚିକିମିକି ବିଜୁଳିର ହସ ନେଇ,
ଆଷାଢ଼ର ଆଖି ଇସାରା ରେ,
ସପନ ଦୋଳାରେ ବସି,
ଆନନ୍ଦର ଝିପିଝିପି ବାଆପାଣି ପିଇ,
ଅଭିମାନିନୀ ବରଷା,
ନାଲି ପାଟ ଶାଢୀ ପିନ୍ଧା ସାଧବ ବୋହୁ ଗହଣେ,
ଭିଜେଇ ଦେଲାଣି ଆସି,
ସବୁଜ ଘାସ ଗାଲିଚା ଘର ଅଗଣାର।
ତଥାପି ମୁଁ ଜାଣେନା କାହିଁକି?
ମୋ ମନ ଝରକା ଦେଇ,
ମୋତେ କାହିଁ ଭିଜାଉନି କାଲୁଆ ପବନ ସାଥେ ବରଷାର ଛିଟା?
ଚାରିଆଡେ ରିମିଝିମି ବରଷାର ମଧୁର ରାଗିଣୀ।
କିନ୍ତୁ?ଉଦାସୀ ମନଟା ମୋର କାହାପାଇଁ ସାଜିଛି ଚାତକ?
ତୁହା ତୁହା ପବନର ସାଉଁ ସାଉଁ ସୁରେ,
କେଉଁଠୁ ଭାସି ଆସୁଛି କରୁଣ ମୁର୍ଛନା ଭିଜା ବିରହ ବଇଁଶୀ?
ସେ ବଇଁଶୀ ଡାକରା ରେ ,
ଆତ୍ମା-ରାଧା ବ୍ୟସ୍ତ ହୁଏ କଳସୀ କାଖରେ ଧରି ଯିବାକୁ ଯମୁନା।
ପରମାତ୍ମା-କୃଷ୍ଣ ସଙ୍ଗେ କେଳି କଦମ୍ବର ମୁଳେ ମିଳନର ପାଇଁ।
କାହ୍ନୁ ଠାରୁ ଦୂରରେ ରହିଲେ,
ବରଷା ପାଣି ଛିଟାରେ ଭିଜେନି ତା ମନ।
ମିଳନର ଋତୁ ବିନା ସବୁ ଋତୁ ଲାଗେ ଫିକା ଫିକା।
ମିଳନର ରାଗ ବିନା ସବୁ ସ୍ଵର ଲାଗଇ ବେସୁରା।
କାହ୍ନୁ ସାଥେ ଦେଖା ହେଲେ,
ବରଷକ ବାରମାସୀ ମଳୟ ବହିବ,
ସବୁ ଋତୁ ସାଜିବେ ବସନ୍ତ।
ବରଷା ବସନ୍ତ ମଧ୍ୟେ ନଥିବ ଫରକ।
ସବୁ ଋତୁ ବସନ୍ତରେ ହୋଇବେ ବିଲୟ,
ନଦୀ ସବୁ ସାଗରରେ ଲୀନ ହେଲାପରି।
ମିଳନ ଦୋଳ ବେଦୀରେ ରାଧା ଆଉ କୃଷ୍ଣ,
ବସିଥିବେ ପ୍ରେମ ଝୁଲଣାରେ।
ପେନ୍ଥା ପେନ୍ଥା ଆମ୍ବ କଷି,
ଝୁଲି ଝୁଲି ଗାଉଥିବେ ମିଳନର ମଧୁର ରାଗିଣୀ।