ଏଇତ କୃଷକ ଜୀବନ
ଏଇତ କୃଷକ ଜୀବନ
ଝରଇ ଶିଶିର ଶୀତଳ ସକାଳ
ବରଷା ଯାଇଛି ଛାଡି
ସଜେଇ ହୋଇଛି ପ୍ରକୃତି ରାଣୀଟା
ପିନ୍ଧି ହଳଦିଆ ଶାଢ଼ୀ ।
ଦକ୍ଷ କଳାକାର କଳା କୌଶଳର
ଅପରୂପ ସମାହାର
ଲହଡ଼ି ଭାଙ୍ଗଇ କୃଷକ ହସଇ
ଦେଖି ପରିଶ୍ରମ ଫଳ ।
ଖାତିର ନ କରି ଶୀତ କାକରକୁ
ପାହାନ୍ତି ପହରୁ ଉଠି
ବୋହି ଆଣେ ତାର ପରିଶ୍ରମ ଫଳ
ଭରେ ତା ଅମାର କୋଠି।
ଲକ୍ଷ ଲକ୍ଷ ଜୀବ ପେଟକୁ ପୋଷିବ
ତାର ପରିଶ୍ରମ ଫଳେ
ଏଇ ତା ଆନନ୍ଦ ଝରେ ମକରନ୍ଦ
ସ୍ମିତ ହାସ୍ୟ ଓଷ୍ଠ ଧାରେ ।
ଜୀବନର ବାସ ମାଟିର ମଣିଷ
ମାଟି ସାଥେ ସଦା ଯୁଝେ
ଯୋଗାଏ ସେ ଅନ୍ନ ବଞ୍ଚାଏ ଜୀବନ
କିଏ ତା ପେଟକୁ ବୁଝେ ।
ଯାତନା ଲାଞ୍ଛନା ତାର ଭାଗ୍ୟେ ସିନା
ଜାଣି ଅଜଣା ମୁଖିଆ
ମଳି ମୁଣ୍ଡିଆରେ ଗଣା ହୁଏ ସିଏ
ସ୍ୱାର୍ଥପର ଏ ଦୁନିଆଁ ।