ଦୁଇ ନଉକା
ଦୁଇ ନଉକା
ସଂସାର ସାଗର ଅଥଳ ଗଭୀର
ଦୁଇ ପାଦେ ଦୁଇ ନାଆ
ହେବା ପାଇଁ ପାରି ଏହି ଭବ ବାରି
ଜଣେ ଜାୟା ଜଣେ ମାଆ ।।
ଖାଇଥିଲେ ଯେତେ ଖାଇ ଦେଏ ଟିକେ
କହୁଥିବ ସଦା ମାଆ
ଭୋକ ବେଳେ ଭାତ ମାଗିଲେ ଜାୟା ତ
କହୁଥିବ ଯାଆ ଯାଆ ।।
ଅଭାବ ଦେଖିଲେ ଦେହ ଅଳଙ୍କାର
ଖୋଲି ଦେଇ ଦିଏ ମାଆ
ଅଳଙ୍କାର ପାଇଁ ଜାୟା କରେ କଳି
କାହିଁ ହେଉଥିଲ ବାହା ।।
ଅସୁସ୍ଥେ ସନ୍ତାନ ବସେ ରାତି ଦିନ
ଉଜାଗର ରହି ମାଆ
ଶୋଇ ଖଟ ପରେ ଗହନ ନିଦରେ
ଘୁଙ୍ଗୁଡ଼ି ମାରଇ ଜାୟା ।।
ଅନ୍ଧାର ହୋଇଲେ ଶଙ୍କା ମନେ ଭରେ
ବାଟ ଚାହିଁ ଥାଏ ମାଆ
ଫେରିବା କଥାଟି ପଚାରି ଦେଲେଟି
ଗର ଗର ହୁଏ ଜାୟା ।।
ନ ଖାଇବା ଯାଏ
ଚାହିଁ ରହିଥାଏ
ଖାଏ ନାହିଁ କେବେ ମାଆ
ଭୋକକୁ ସମ୍ଭାଳି ପାରିବନି ବୋଲି
କହି ଖାଇ ଦିଏ ଜାୟା ।।
ପାଉ ଯେତେ ଦୁଃଖ ମାଆଟିର ମୁଖ
କଲ୍ୟାଣର ଗନ୍ତାଘର
ଦୁଃଖ ଦେଖି ଜାୟା ହୁଏ ପରକୀୟା
ପ୍ରୀତି ଫଗୁଣ ପାଗଳ ।।
ଅଭିଶାପ କେବେ ନାହିଁ ମାଆ ମୁଖେ
ଦୁଃଖକୁ ନିଏ ଆଦରି
ଦୁଃଖକୁ ବୁଝେନି କେବେ ସୋହାଗିନୀ
ସ୍ୱାମୀକୁ କରେ ଭଗାରି ।।
ନିଜେ ଯାଏ ଜଳି ସଳିତାର ପରି
ସନ୍ତାନ ପାଇଁ ତା ମାଆ
ଜଳିବା ବଦଳେ ଜାଳି ଜାୟା ମାରେ
ଆଇନର ନେଇ ସାହା ।।
କେଉଁ ନାବେ ପାରି ହେବ ଭବ ବାରି
ବୁଝିବେ ସୁଜ୍ଞାନି ଜନ
ପବିତ୍ର ନଉକା ମାଆ ମୁଖୁ ଏକା
ବାହାରୁ ଥିବା କଲ୍ୟାଣ ।।