Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Others

3  

DILIP KUMAR SAHOO

Others

ଦଶ ମହାବିଦ୍ୟା

ଦଶ ମହାବିଦ୍ୟା

2 mins
249


ଧର୍ମ ଧନ ଜ୍ଞାନ ମୋକ୍ଷ ପ୍ରଦାୟିନୀ

ଦୁଃଖ ଦୂରିତ ନାଶିନୀ

ଭାବ ରେ ଭବାନୀ ପୌରୁଷରେ ଲକ୍ଷ୍ମୀ

ଯୁଦ୍ଧରେ ଦୁର୍ଗା ରୂପିଣୀ ।

ଶୁଭ୍ରା ଶାକାମ୍ବରୀ କାତ୍ୟାୟନୀ ଗୌରୀ

ଗିରିଜା ଗିରି ନନ୍ଦିନୀ

ଲକ୍ଷ୍ମୀ ମହାଲକ୍ଷ୍ମୀ ମହା ସରସ୍ଵତୀ

ସୁଖ ଶାନ୍ତି ପ୍ରଦାୟିନୀ ।

ଅସହ୍ୟ ହୋଇଲେ ମହୀ ମଣ୍ଡଳରେ

ଅଧର୍ମର ବିଷ ଜ୍ଵାଳା

ଦଶ ମହାବିଦ୍ୟା ଅବତାରେ ମାଆ

ଧରା ଧାମେ କର ଲୀଳା।

କାଳୀ ଛିନ୍ନମସ୍ତା ଷୋଡ଼ଶୀ କମଳା

ଭୈରବୀ ଭୁବନେଶ୍ୱରୀ

ତାରା ଧୂମାବତୀ ମାତଙ୍ଗୀ ବଗଳା

ଦଶ ରୂପେ ଅବତରି ।

ମହାବିଦ୍ୟା ରୂପେ ଉଗ୍ରରୂପ କାଳୀ

ତିମିର ତମସା ବୋଳା

ଗଳାରେ ଝୁଲଇ ମୁଣ୍ଡ ମାଳମାଳ

ଶବ୍ଦ ବ୍ରହ୍ମ ବର୍ଣ୍ଣ ମାଳା ।

ଖଣ୍ଡା ଖର୍ପର ରେ ବିଭୁଷିତା ମାତା

ଶବାସନା ଶିବ ଶକ୍ତି

ରୂପ ଭୟଙ୍କର ଭକ୍ତି ଉପଚାର

ଭବରୁ କରନ୍ତି ମୁକ୍ତି ।

ତାରା ଗୋ ତାରିଣୀ ସଙ୍କଟ ହାରିଣୀ

ଉଗ୍ରରୂପ ଭୟଙ୍କରୀ

ନୀଳ ସରସ୍ଵତୀ ନୀଳ ବର୍ଣ୍ଣ କାନ୍ତି

ସୁଖ ମୋକ୍ଷ କ୍ଷମା ଦାତ୍ରୀ।

ମାଗୋ ଚତୁର୍ଭୁଜା ଦେବୀ ପଦ୍ମାସନା

ଅମୋଘ ସିଦ୍ଧି ଭୂଷିତା

ଜ୍ଞାନଦା ଧନଦା ସୁଖଦା ବରଦା

ଅଷ୍ଟ ମହା ଭୟ ହର୍ତ୍ତା ।

ତ୍ରିପୁରା ସୁନ୍ଦରୀ ରାଜରାଜେଶ୍ଵରୀ

ଷୋଡ଼ଶୀ ସିଦ୍ଧି ଦାୟିନୀ

ଶ୍ରୀବିଦ୍ୟା ଲଳିତା ପରା ଭଟ୍ଟାରିକା

ଆତ୍ମ ଜ୍ଞାନ ପ୍ରଦାୟିନୀ ।

କାମନା ବାସନା ପୂର୍ଣ୍ଣ କରନ୍ତି ମା

ଚତୁର୍ଭୁଜା ତ୍ରିନୟନୀ 

ଧନୁ ତୀର ପାଶ ଧରିଛ ଅଙ୍କୁଶ

ଅରୁଣ ବର୍ଣ୍ଣେ ଶୋଭିନୀ ।

ସଦା ହସହସ ସୁନ୍ଦର ସରସ

ଭବାନୀ ଭୁବନେଶ୍ୱରୀ

ଭକ୍ତିରେ ଭଜିଲେ ଶକ୍ତିହୀନ ଭକ୍ତ

ବଳବୀର୍ଯ୍ୟ ଦିଅ ଭରି ।

ହୁଏ ମୋକ୍ଷ ପ୍ରାପ୍ତି ମିଳେ ଶାନ୍ତି ମୁକ୍ତି

ତୁମରି ଚରଣ ସେବି

ଦୂରାରୋଗ୍ୟ ବ୍ୟାଧି ଦୂର ହୋଇଯାଏ

ତୁମକୁ ହୋଇଲେ ଭାବି ।

'ଭ' ରୁ ଭରଣ 'ର' ରୁ ରକ୍ଷଣ

'ବ' ରୁ ବମନ ମୁକ୍ତି

ଭୈରବୀ ରୂପରେ ସାଧୁ ସାଧକଙ୍କୁ

ଅବସାଦୁ ଦିଅ ଶାନ୍ତି।

ଗଳେ ମୁଣ୍ଡ ମାଳ ହସ୍ତେ ଜପାମାଳ

ତୁମେ ଜ୍ଞାନ ତୁମେ ଧ୍ୟାନ 

ଚଣ୍ଡ ମୁଣ୍ଡ ଙ୍କର ନିଧନ କାରିଣୀ

ଭାବରେ ଭକତ ଧନ୍ୟ ।

କବନ୍ଧ ବିହିନା ଉଗ୍ରା ରକ୍ତବର୍ଣ୍ଣା

ମହାବିଦ୍ୟା ଛିନ୍ନମସ୍ତା

ଗଳାରୁ ନିର୍ଗତ ରକ୍ତ ପାନେ ମତ୍ତ

ପ୍ରଚଣ୍ଡା ଚଣ୍ଡୀକା ମାତା ।

ବର୍ଣ୍ଣିନୀ ଡାକିନୀ ପାର୍ଶ୍ଵେ ସୁଶୋଭିନୀ

ତେଜମୟୀ ତ୍ରିନୟନୀ

ଶତୃ ସଂହାରିଣୀ ମାଗୋ ବୈରୋଚନୀ

ଯୋଗେ ସିଦ୍ଧି ପ୍ରଦାୟିନୀ ।

ଦକ୍ଷ ଯଜ୍ଞ କୁଣ୍ଡେ ସତୀ ଆତ୍ମହୂତୀ

ଧୁମରୁ ହୋଇଲେ ଜାତ

ମତା ଧୂମାବତୀ ଧୂମବର୍ଣ୍ଣା କାନ୍ତି

ବୈଧବ୍ୟ ବେଶରେ ସେତ ।

ମଳିନ ବସନ ସଦା ପରିହିତା

ଦୀର୍ଘାଙ୍ଗୀ ଦ୍ବିଭୂଜା ଦେବୀ

ବାଦ ବିବାଦ ରୁ ମୁକତି ମିଳଇ

ଦେବୀଙ୍କୁ ହୋଇଲେ ଭାବି ।

କାଳୀ ଆଉ ତାରା ଷୋଡ଼ଶୀ ଙ୍କ ଶକ୍ତି

ଯେଉଁଠାରେ ଏକିଭୂତ

ବଗଳାମୁଖୀ ସେ ହଳଦୀ ବରଣ

ବସନରେ ବିମଣ୍ଡିତ ।

ସାଧନା ସିଦ୍ଧି ରେ ଉପୁଜିଲେ ବାଧା

ମାତା କରିଥାନ୍ତି ଦୂର

ମାତାଙ୍କର ନାମ ଭଜନ କୀର୍ତ୍ତନେ

ଶତୃ ହୁଏ ଛାରଖାର ।

ବାଦ୍ୟ ପ୍ରିୟ ଦେବୀ ଦେବୀ ସେ ମାତଙ୍ଗୀ

ଚତୁର୍ଭୁଜା କୃଷ୍ଣବର୍ଣ୍ଣା

ବେଣୁ ବୀଣା ଧ୍ୱନି ତାଳବାଦ୍ୟ ଶୁଣି

କରନ୍ତି କରୁଣା ବନ୍ୟା ।

ମାତଙ୍ଗ ଦୈତ୍ୟକୁ ବଧ କରି ମାଆ

ମାତଙ୍ଗୀ ଭାବରେ କ୍ଷାତ

ଘୋର ବିପଦରୁ କରନ୍ତି ଉଦ୍ଧାର

ଭକ୍ତିରେ ଡାକିଲେ ଭକ୍ତ ।

ମାତା ଶ୍ରୀ କମଳା ଶେଷ ମହାବିଦ୍ୟା

ପଦ୍ମାଳୟା ପଦ୍ମାସନୀ

କୋଟି ଚନ୍ଦ୍ରକାନ୍ତି ରୂପବତୀ ଦେବୀ

ସତ୍ୟାନନ୍ଦ ସ୍ବରୂପିଣୀ ।

ଦେବୀଙ୍କୁ ପୁଜିଲେ ଭକ୍ତିରେ ଭଜିଲେ

ଅମାର ଯାଏରେ ପୂରି

ଅପସରି ଯାଏ ଅମା ଅନ୍ଧକାର

ଅଭାବ ଯାଏରେ ସରି ।

ଦଶ ମହାବିଦ୍ୟା ଜ୍ଞାନ ତରଙ୍ଗିଣୀ

ତୁମ ପୂଜା ଆବାହନ

ଉଛୁଳେ ପବନ ଉଛୁଳେ ଗଗନ

କରି ତୁମ ଜୟଗାନ।

ମାଟିରୁ ଆକାଶ ତୁମ ନାମ ଘୋଷେ

ତୁମଠାରେ ଭକ୍ତ ମନ

ତୁମରି ବନ୍ଦନା ପୂଜା ଆରାଧନା

ମନବାଞ୍ଛା ହୁଏ ପୂର୍ଣ୍ଣ ।



Rate this content
Log in