ଦରିଆ ସେପାରି ଚିଠି
ଦରିଆ ସେପାରି ଚିଠି
ଉଡିଗଲା ପୋଷାପକ୍ଷୀ ଆକାଶର ବୁକୁ ଚିରି,
ସାତ ଦରିଆ ସେପାରି ସୁଦୂର ବିଦେଶେ।
ସ୍ନେହର ପଞ୍ଜୁରୀ ଆଉ ତା ମାଆର ମଇଳା ପଣତ,
ତା ପାଇଁ ଛୋଟ ହୋଇଗଲା।
ଗାଆଁର ଏ ନଈ ନାଳ ତୋଟାମାଳ,
ଅଟକାଇ ପାରିଲାନି ତାକୁ।
ତାର ସେ ଅସୁମାରି ଆଶାର ପାହାଡ଼,
ଜାଗା ପାଇଲାନି ଦେଶ ମାଟିର ଛାତିରେ।
ଯେତେ ପାରେ ଉଡିଲା ସେ ଦେଶରୁ ଦେଶକୁ।
ଉଡୁଛି ସେ ଯେତେ ଉଡୁ ,ତାର ତ ଉଡିବାର ବେଳ।
ବନସ୍ତରେ ବୁଲିଲେ ବି ହାତୀ ରାଜାଙ୍କର।
ସ୍ଵଦେଶକୁ ଫେରିବ ସେ ଦିନେ,
ହୀରା ନୀଳା ମୋତିରେ ଛାଉଣୀ ହୋଇ।
ମୋ ଗାଆଁର ଝାଟିମାଟି ସୁନା ପାଲଟିବ।
ଅଗଣାରେ ମହକିବ ପାରିଜାତ ଫୁଲ।
ମୋ ଘର ର ନୀରବତା ଭାଙ୍ଗିଯିବ ନୁପୁର ନିକ୍ଵଣେ।
ଅଳତା ପାଦରେ ପିନ୍ଧି,ମଥାରେ ଓଢ଼ଣା ଟାଣି,
ସଞ୍ଜବତୀ ଜାଳିବ ତା କୁଳବୋହୂ ବୃନ୍ଦାବତୀ ପାଖେ।ଅଗଣାରେ ଶୁଭୁଥିବ କୁନିକୁନି ଚଢେଈଙ୍କ କିଚିରି ମିଚିରି।
ଜୀବନର ସବୁ ଦୁଖ ହଜିଯିବ ବୋହୂ ବଢା ପଖାଳ କଂସାରେ।
ତା ମାଆର ଦଶମାସ ଦଶଦିନ କଷ୍ଟ ,ଲୁଚିଯିବ ବୋହୂର ସେବାରେ।
* * *
ମୋ ଆଶା ପୂରଣ ହେଲା।
ସାତ ଦରିଆ ପାରିରୁ ,ହୀରା ନୀଳା ମୋତି ଓ ମାଣିକ,
ଭରିଦେଲା ମୋ ସିନ୍ଧୁକକୁ।
କିନ୍ତୁ?ପକ୍ଷୀ ଆଉ ଫେରିଲାନି ତା ନୀଡ଼କୁ।
ଦରିଆ ସେପାରିରେ ସେ ଡେଣା ମେଲେଇଲା।
ବିଦେଶ ମାଟି ଶୁଣିଲା ତା ପିଲାର କୁଆଁ କୁଆଁ ଶବ୍ଦ।
* * * * *
ଶଯ୍ୟାଶାୟୀ ମାଆ ତାର ,ଖୋଜୁଛି ତା ମମତାକୁ ଆଜି।
ଅବହେଳା କରିନି ମମତା ,ପଠାଇଛି ମୁଠା ମୁଠା ଟଙ୍କା,
ମାଆ ପାଇଁ ଯୋଗାଇଛି ଚାକରାଣୀ ସେବା।
ରୋଷେଇଆ ହାତେ ଆଜି ଆମ ଦାନାପାଣି।
ଚାକର ବାକର ଆମ ସାହା ଓ ଭରସା।
ତା ମାଆର ଚାହାଁଣୀରେ ଅନେକ ଅକୁହା ପ୍ରଶ୍ନ।
ଆମ ଅନ୍ତେ ପିଣ୍ଡ ପାଣି କିଏ ଦେବ?
କିଏ ଦେବ ସଞ୍ଜଦୀପ ମୋ ଦେଇପିଣ୍ଡିରେ?।
ସାତ ପୁରୁଷର ଏହି ପରମ୍ପରା,
ହଜିଯିବକି ସତରେ ଦରିଆ ସେପାଖେ?
* * *
ତା ବାଟ ଚାହିଁ ଚାହିଁ ମା ଚାଲିଗଲା।
ଏକୁଟିଆ ଦୁନିଆଟା ଖାଁ ଖାଁ ଲାଗେ।
ଭାରି କଷ୍ଟ ଗପିବାଟା ନିଃସଙ୍ଗତା ସଙ୍ଗେ।
ଘଣ୍ଟା କଣ୍ଟା ଧୀରେ ଧୀରେ ଚାଲେ।
ସମୟ କଟେନା।
ସାତ ପୁରୁଷର ଏହି ଭିଟାମାଟି,
ଅଚିହ୍ନା ଅଚିହ୍ନା ଲାଗେ।
ସେପାରିକୁ ଯିବାକୁ ଅପେକ୍ଷା।
* * * * *
ଫେରିଆ ତୁ ପୋଷାପକ୍ଷୀ ତୋ ନୀଡକୁ।
ତୋତେ ଅପେକ୍ଷା କରିଛି ମୋ ନିଃସଙ୍ଗତା।
ଆଉ ତୋତେ କିଛି ମାଗିବିନି।
ମାଗୁଛି ଗୋଟିଏ କଥା।
ଅତୀତ ତ ହଜିଗଲା,
ତୋ ମାଆର ଜୁଇ ସାଥେ ମଶାଣୀ ଭୂଇଁରେ!
କେବଳ ଫେରାଇଦେ ମୋ ଭବିଷ୍ୟତ,
ବିଦେଶ ମାଟିରେ ତାକୁ ହଜାଇ ଦେ ନା।
ଚିଠି ପାଇ ଆସିବୁ ନିଶ୍ଚୟ।
କିନ୍ତୁ? ମୋ ଭବିଷ୍ୟତ ମୋ ଘରକୁ ବାଟ ପାଇବତ?
ପହଞ୍ଚି ପାରିବ କି ସେ ମୋ ଆଖି ମୁଦିବା ଆଗରୁ???