ଦୋଷ
ଦୋଷ


ଭାରି ଅଜବ ଶବ୍ଦଟିଏ ଏ ଦୋଷ ,
କେହି ଚାହେଁନି ତାକୁ ନିଜ ପାଖେ ରଖିବାକୁ ।
ଭାରି ଠେଲା ପେଲା ହୁଏ ନିଜ ନିଜ ଭିତରେ ।
କେହି କେବେ କି ଚାହେଁ
ନିଜ ଆଖିରେ ଆଙ୍ଗୁଠି ଦେବାକୁ
କଥା ରେ ତ ଅଛି
ପର ଆଖିଟି ଭାରି ଶସ୍ତା
ଆଙ୍ଗୁଠି ଖେଞ୍ଚିବାକୁ ।
କେବେ ଆମେ କାହାକୁ ଦୋଷ ଦଉ,
କେବେ କିଏ ଆମକୁ ।
କିଏ ଦୋଷ କରି ବି ନିର୍ଦ୍ଦୋଷ ବୋଲାଏ
ଆଉ କିଏ ବିନା ଦୋଷରେ ବଡ଼ ଦୋଷୀ ପାଲଟି ଯାଏ ।
ଦୋଷ ପୁଣି ଭାରି ସ୍ୱାର୍ଥପରଟା...
ଲିଙ୍ଗ ଭେଦ ତା ମନରେ ବେଶ୍ ବସା ବାନ୍ଧିଛି ।
ଯଦି କେବେ କଥା ଉଠେ
ପୁଅ /ଝିଅ ଭିତରେ
ନାରୀ/ପୁରୁଷ ଭିତରେ ।
ଯେତେ ବଡ଼ ଦୋଷ ହେଉ ନା କାହିଁକି
ଦୋଷଟା ଖାଲି ଝିଅର ନାରୀର ।
କିଏ ଦୋଷ କରି ଚୁପ୍ ରହି ଯାଏ
କିଏ ନିଜର ଠିକ୍ ପଣିଆକୁ ପ୍ରମାଣରେ ଜୀବନ ହାରି ଦିଏ ।
ତଥାପି କେହି ବୁଝେନା ଦୋଷ କାହାର ?
କିଏ ସମାଜର ନାମ ଦେଇ ଦୋଷ ଦିଏ
କିଏ ନିଜକୁ ବଞ୍ଚାଇବାକୁ ଦୋଷ ଦିଏ
କିଏ ନିଜ ପଦ ଚଉକି ପାଇଁ ଆଉ କାହାକୁ ଦୋଷ ଦିଏ...
କିଏ ନିଜ ଘରେ ସାଧୁ ବୋଲେଇବାକୁ
ଅନ୍ୟକୁ ଦୋଷ ଦିଏ ।
କେବେ ମା ପୁଅକୁ ଦୋଷ ଦିଏ
କେବେ ପୁଅ ମାକୁ ।
କିନ୍ତୁ ଦୋଷ ଦିଏ ଆମରି ମାନସିକତା
ଦୋଷକୁ ଘୋଡାଇ ବି ଦିଏ ଆମରି ଏଇ ଶୁଦ୍ଧ ମଣିଷପଣିଆ।
ନାରୀ ଏଇଠି ନାରୀକୁ ଦୋଷ ଦିଏ
ପୁରୁଷକୁ ବଞ୍ଚାଇବାକୁ
ଭାଇ ବି ଭାଇକୁ ଦୋଷ ସ୍ବାର୍ଥ ହାସଲ କରିବାକୁ ।
ତଥାପି ସମସ୍ତେ ନିରୁପାୟ ।
ଦୋଷୀ ରଖେ ଅଜସ୍ର ପ୍ରମାଣ
ନିର୍ଦ୍ଦୋଷ ବୋଲାଇବା ପାଇଁ
କିନ୍ତୁ ନିର୍ଦ୍ଦୋଷ କେବେ ସାଇତି ପାରେନି କିଛି ବି ପ୍ରମାଣ
ନିଜ ଠିକ୍ କୁ ଦେଖେଇବା ପାଇଁ ।
ଯେବେ କେହି ଶିଖିଯିବ
ନିଜ ଆଖିକୁ ଆଙ୍ଗୁଳି ଖେଞ୍ଚିବାକୁ
ବୋଧେ ସେଇ ଦିନ ଦୋଷ ବି ନିଜକୁ ଭାଗ୍ୟବାନ ମଣିବ
ସେଇ ଆଖିରେ କଣରେ ଦୁଇ ଧାର ଲୁହ ହୋଇ ବହିଯିବ ।