ଦୀପାବଳୀ
ଦୀପାବଳୀ
ପ୍ରଥମ ଥର ପାଇଁ "ଚୋଖି" ଛନ୍ଦରେ ଏକ କବିତା ଲେଖିବାର ପ୍ରୟାସ କରିଛି। ଏହି କବିତାରେ ଦୀପାବଳି ପାଳନର ଭିନ୍ନ ଭିନ୍ନ ମାନ୍ୟତା ବିଷୟରେ ଲେଖା ଯାଇଛି।ଯଦି ଭଲ ଲାଗେ ମତାମତ ନିଶ୍ଚୟ ଦେବେ।
ଅଟେ ପର୍ବ ଆଲୋକର ସମ୍ପର୍କର ସୋହାର୍ଦ୍ଦ୍ୟର
ଦୀପକର ପର୍ବ ଅଟେ ଏ ଦୀପାବଳୀ
ଭାଇଚାରାର ପରବ ବିଜୟର ଏ ପରବ
ଖୁସିର ପରବ ଅଟେ ଏ ଦୀପାବଳୀ।
ଜଗା ଦିଅ ଏହି ଆଶିଷ.....
ଦୀପାବଳୀ ଦେଉ ଆଣି ମୁଖେ ହରସ।।
ରାମଙ୍କର ବନ ବାସେ ଭିକ୍ଷୁକ ଋଷିଙ୍କ ବେଶେ
ସୀତା ମାତାଙ୍କର ସେ ଯେ କଲା ହରଣ।
କେତେ ଗର୍ବ ଅହଂକାର ରାବଣ ଯେ ନାମ ତାର
ପ୍ରଭୁଶ୍ରୀ ରାମଙ୍କ ହାତେ ହେଲା ମରଣ।
ପ୍ରଭୁଙ୍କ ଅଯୋଧ୍ୟା ବାହୁଡା.....
ଆଲୋକେ ଝଲସୁ ଥିଲା ଅଯୋଧ୍ୟା ବେଢ଼ା।।
ମହାଦାନୀ ରାଜା ବଳି ଅଶ୍ୱମେଧେ ଘୃତ ଜାଳି
ଇନ୍ଦ୍ରତ୍ୱ ପ୍ରାପ୍ତି ଲାଗି ଯଜ୍ଞରେ ବସିଲେ।
ଇନ୍ଦ୍ରଙ୍କର ରକ୍ଷା ଲାଗି ବାମନ ବେଶେ ବୈରାଗୀ
ପାଦ ଭାରରେ ବଲି ଭୂମିରେ ଧସିଲେ।
ବିଷ୍ଣୁ ଦେଲେ ବାଳିଙ୍କୁ ବର.....
ବରଷରେ ଥରେ ତୁମେ ମର୍ତ୍ତ୍ୟକୁ ଫେର।।
ଦ୍ୱାପରେ ନରକାସୁର ଦେବତା ବି ଥରହର
ସତ୍ୟଭାମା ହାତେ ସେ ଯେ ହୋଇଲା ମୃତ।
ବାର ବର୍ଷ ବନବାସ ବରଷେ ଅଜ୍ଞାତ ବାସ
ପାଣ୍ଡବଙ୍କ ଆଗମନେ ଭବ୍ୟ ସ୍ୱାଗତ।
ଦୀପ ଜାଳି ନଗର ସାରା.....
ଖୁସିରେ ବଞ୍ଚିବା ଆଶା ହୋଇବ ପୁରା।।
ପିତୃ ପୁରୁଷଙ୍କ ତୃପ୍ତି ସେ ପୁରରେ ତାଙ୍କ ଶାନ୍ତି
ଆଲୋକ ଜାଳିଣ ତାଙ୍କୁ ଦେଉ ବିଦାୟ।
ଶିଖଗୁରୁଙ୍କ ଜନମ ବିକ୍ରମାଦିତ୍ୟ ତିଳକ
ହୋଇଥିଲା ଜୈନଙ୍କର ଜ୍ଞାନ ଉଦୟ।
କେତେ କଥା କେତେ କାହାଣୀ.....
ଦୀପାବଳିର ମହତ୍ତ୍ୱ ନିଅ ହେ ଜାଣି।।
ପରମ୍ପରା ସଂସ୍କୃତିର ପରିଚୟ ଭାରତୀର
ତାହାରି ପୂଜା ପର୍ବାଣୀ ତାର ମାନ୍ୟତା।
ନ ଖେଳାଇ ପ୍ରଦୂଷଣ ନ ଫୁଟାଇ ଶବ୍ଦ ବାଣ
ଅନ୍ଧାରରେ ଜାଳି ଦୀପ ରଖି ସ୍ୱଚ୍ଛତା।
ଶୁଭେଚ୍ଛା ଓ ଅଭିନନ୍ଦନ.....
ହସ ଖୁସି ସମୃଦ୍ଧିରେ ପୁରୁ ଜୀବନ।।