ଦିଅଁଦର୍ଶନ
ଦିଅଁଦର୍ଶନ
(କାହାରି ଧର୍ମ ଭାବନାକୁ ଆଘାତ ଦେବା କବିତାର ଉଦ୍ଦେଶ୍ୟ ନୁହେଁ)
ସକାଳର ପହିଲି କିରଣ ନେଇ ସିନ୍ଦୂରା ଫାଟିଲେ,
ମନ୍ଦିରରୁ ଭାସିଆସେ ଘଣ୍ଟ ଘଣ୍ଟା ଶବ୍ଦ।
ତନୁମନ ପୁଲକିତ ହୋଇଯାଏ ,
ପୂଜକର ଭକ୍ତିପୂତ ଓଁକାର ନାଦରେ।
ଲାଗିଯାଏ ଭକତଙ୍କ ଭିଡ଼।
ସମସ୍ତଙ୍କ ହାତେ ଧୂପଦୀପ ଆଉ ପୁଷ୍ପାଞ୍ଜଳି।
କେତେ ଅଭିଳାଷା ଆଉ କେତେ ମାନସିକ,
କିଏ ଚାହେଁ ବିଦ୍ୟା ଆଉ ମାନ ସନମାନ,
କିଏ ଚାହେଁ ସନ୍ତାନ ସନ୍ତତି,
କିଏ ଚାହେଁ ସୁସ୍ଥ ଆଉ ନୀରୋଗ ଶରୀର।
କିଏ ଚାହେଁ ମୁକ୍ତି ଏହି ଭବ ବନ୍ଧନରୁ,
କିନ୍ତୁ?କାହା ମନର ବୀଣାରୁ ଝଙ୍କୁରିତ ହୁଏ ନାହିଁ,
ସନ୍ଥ କବିଙ୍କର ସେହି ଆକୁଳ ପ୍ରାର୍ଥନା-
ମୋ ଜୀବନ ପଛେ ନର୍କେ ପଡ଼ିଥାଉ,
ଜଗତ ଉଦ୍ଧାର ହେଉ।
ଏଠି ସବୁ ଫୁଲହାର ଗୁନ୍ଥା ହୁଏ ଅହଙ୍କାର ସୁତୁଲିରେ,
ସମସ୍ତଙ୍କ ଦୀପ ଜଳେ ମୁଁ ଆଉ ମୋ ପାଇଁ।
ପ୍ରାର୍ଥନାର ଆଢ଼ୁଆଳେ ,
ସ୍ଵାର୍ଥ ଆଉ କାମନାର ଅଜସ୍ର ପାହାଡ଼।
ଭକ୍ତି ଆଉ ଜାତି ପାଇଁ ଏଠି ସ୍ଥାନ କାହିଁ?
ବ୍ୟକ୍ତି ନନ୍ଦିଘୋଷ ଚାଲେ ଘର୍ଘର ନାଦରେ।
ଜାତି ନନ୍ଦିଘୋଷ ଚକ ଧସିଯାଏ ,
ବ୍ୟକ୍ତିସ୍ଵାର୍ଥ ବାଲୁକା ଭିତରେ।
ସେବା ଆଉ ଦେବା ଭାବ ଦବିଯାଏ,
ନେବା ଆଉ ପାଇବା ଭାରରେ,
ଖସିଗଲା ଗୋଡ଼ ତଳକୁ ତଳକୁ ପରି।
ମାଗିବା ପରିମାପରେ ମାନସିକ ହୁଏ ଏଠି,
ନିକିତିର ଦୁଇ ପାଖେ ମାପ କଲାପରି।
ଅଫିସ୍ ରେ କାମପାଇଁ ଲାଞ୍ଚ ଦେବାପରି।
ମନ୍ଦିର ବାହାରେ ସିନା ଧନର ଭିକାରୀ,
ମନ୍ଦିର ଭିତରେ କିନ୍ତୁ ମନର ଭିକାରୀ।
* * * * * *
ସ୍ମିତହାସ୍ୟଭରା ଠାକୁରଙ୍କ ନାଲିଓଠେ,
ପଢ଼ିହୁଏ ପ୍ରଭୁଙ୍କର ମନର ଭାବନା-
ମାନସିକ କରୁଥିବା ଭକତଙ୍କ ପାଇଁ -
ହେ ମୋର ଅଂଶ!
ମୋର ଏ ସାରା ସୃଷ୍ଟି ସବୁତ ତୁମର।
ମାନସିକ ବଦଳରେ ତୁମେ ପୁଣି ମାଗୁଛ କାହିଁକି?
ମୁଁ ପରା ଭାବର ଠାକୁର।।
ଭାବକୁ ନିକଟ ମୁହିଁ ଅଭାବକୁ ଦୂର।
ମନର ଭାବନା ତୁମ ମୋତେ କି ଅଜଣା?
ଦାମୀ ଦାମୀ ଫୁଲହାର ଭେଟି ଧରି,
ଅଭାବୀ ମନକୁ ନେଇ,
ମୋ ପାଖକୁ ଆସିଛ କାହିଁକି?
ନ ଥାଏ ମୁଁ ମନ୍ଦିରରେ।
ଥାଏ ମୁହିଁ ଅନ୍ତରରେ,ମାନବ ସେବାରେ,
ଭକତର ଭକତିରେ।
ହେ ଭକତ ମୋର,
ଭାବ ଆଉ ଭକତିରେ ମୋତେ ବାନ୍ଧିଦିଅ।
ସମର୍ପଣ କରିଦିଅ ତୁମ ଅହଙ୍କାର।
ମୁଁ ରହିବି ତୁମ ହୃଦୟରେ।
ସଦାଥିବି ତୁମ ପାଖେ ପାଖେ,
ସବୁବେଳେ ଝୁରିବି ତୁମକୁ,
ଗୋପୀଙ୍କୁ ଝୁରିଲା ପରି।
ଆଉ ତୁମକୁ ମନ୍ଦିର ଆସିବାକୁ ପଡ଼ିବନି,
ଶୁନ୍ୟ ମନ୍ଦିର ତୁମର ହୋଇଯିବ ପୂର୍ଣ୍ଣ,
ମୁଁ ଥିବି ତୁମ ପାଖେ,ସବୁ ଥିବ ତୁମ ପାଖେ,
ମାନସିକ କରି ଆଉ ମାଗିବାକୁ ପଡ଼ିବନି।