ଦହନ
ଦହନ
ଦହନର ନାହିଁ ଅନ୍ତ,
କେତେ ମୁଁ ଜଳିବି କହ ହେ କାଳିଆ ସାଆନ୍ତ,
ଏକା ମୁଁ ଜଳୁନି ଆଜି
ଜଳୁଛନ୍ତି ଏଠି ପରା ମୋ ସାରା ଜଗତ,
ସେଥିରେ ଜଳୁନୁ କି ତୁ ଜଗତର ନାଥ।
ଜଳୁଛନ୍ତି ସର୍ବେ ଆଜି ଅନ୍ତର୍ଦହନରେ,
ଦେଖେଇ ନ ପାରନ୍ତି କେ
ଯେମିତି ତୁ ଭକ୍ତବିନା ତୋ ବୈକୁଣ୍ଠ ପରେ।
ଛଳନାର ଦହନ ତ ଅସତ୍ୟ ଦହନ
ଗରିବ ସଂସାରେ ପୁଣି ଅଭାବର ଜ୍ଵଳନ।
ଅଭାବୀ ସଂସାରେ ଥାଏ ରୋଗ, ଯନ୍ତ୍ରଣା ସହ
ହୃଦୟରେ ଅପ୍ରାପ୍ତିର ଡ଼ହଡ଼ହ ରଡ଼ ନିଆଁ।
ପୁଣି ଥାଏ କେତେବେଳେ ପ୍ରତୀକ୍ଷାର ଦହନ।
ଦେହର ପୋଷାକ ବି ହାର ମାନିଯାଏ
ବୈଶାଖ ସୂର୍ଯ୍ୟ କିରଣ ପାଖରେ।
ଦେହ ବି ଶୀତେଇ ଉଠେ ଦେଖି
ଆମାଜନର ଦଗ୍ଧ ଭସ୍ମୀଭୂତ ।
କେତେ କାହାର ଜ୍ଵଳନ ଏଠି
ନା କହିହୁଏ ନା ସହିହୁଏ,
ଡ଼ହଳ ବିକଳ ଏଠି ପଶୁ ପକ୍ଷୀ କୀଟ ତରୁଲତା,
ଖାଁ ଖାଁ ତୋ ବଡ଼ଦେଉଳ,
ଷାଠିଏ ପଉଟି ଅବା ତୋ ଟଙ୍କ ତୋରାଣି
ତୋ ଛଡା ତୁଳସୀ କିବା ପଣ୍ଡା ବେତବାଡି,
ଗହଗହ ବାଇଶି ପାହାଚ ତୋର
ଶୂନ୍ୟ ଶୂନ୍ୟ କେବଳ ଶୂନ୍ୟ।
ନ ଦେଖିବାର କି ଏ ତୋ ଅଭିନୟ।
ତୁ ତୋ ଭକ୍ତ ବିହୁନେ
ଭକତ ବି ତୋ ବିହୁନେ
ଜଳେ ହୁତୁହୁତୁ ହୋଇ।
ହଟେଇ ଦେ ମହାବାହୁ ଏ ସଂସାରୁ
ସବୁ ମହାମାରୀ ର ଘୋର ଦୁଃଖ ବିପତ୍ତିକୁ,
ଖୋଲି ଦେ ତୋ ସିଂହଦୁଆର ପତିତ ଜନଙ୍କ ପାଇଁ
ଉଚ୍ଚ କଣ୍ଠେ ଭକତକୁ ଡାକିନିଅ ପାଶେ,
ହସିଉଠୁ ଶ୍ରୀମନ୍ଦିର, ହଟିଯାଉ ସବୁରି ମନୁ
ଦୁଃଖ, କଷ୍ଟ, ଯାତନାର ଜ୍ଵଳନ।
ଏକସ୍ଵରେ ଶୁଭିଯାଉ
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ
ହରେରାମ ହରେରାମ ରାମ ରାମ ହରେ।